ବିମୁଦ୍ରୀକରଣର ୪ ବର୍ଷ ପରେ ଅନ୍ଧ ଦମ୍ପତି ପୁରୁଣା ନୋଟ ନେଇ ପହଞ୍ଚିଲେ ବ୍ୟାଙ୍କ, ତାପରେ ଯାହା ହେଲା ସମସ୍ତନଙ୍କର ଉଡ଼ିଗଲା ହୋସ

ତାମିଲନାଡୁର ଏକ ଅନ୍ଧ ଦମ୍ପତି ଅଗରବତି ବିକ୍ରି କରି ନିଜର ଗୁଜୁରାଣ ମେଣ୍ଟାଇଥାନ୍ତି। ଏହି ଦମ୍ପତିଙ୍କୁ ସେତେବେଳେ ଏମିତି ଏକ ବଡ଼ ଝଟକା ଲାଗିଲା ଯେତେବେଳେ ସେମାନେ ଜାଣିବାକୁ ପାଇଲେ ଯେ ଗୋଟିଏ ଗୋଟିଏ ଟଙ୍କା ସଞ୍ଚୟ କରି ରଖିଥିବା ତାଙ୍କ ଜମାପୁଞ୍ଜି ଏବେ ବର୍ଜ୍ୟବସ୍ତୁ ସହିତ ସମାନ ହୋଇଯାଇଛି।

ବାସ୍ତବରେ ତାମିଲନାଡୁର ପୋଥିଆ ମୋପାନୁର ଗାଁର ୫୮ ବର୍ଷୀୟ ସୋମୁ ତାଙ୍କ ପତ୍ନୀଙ୍କ ସହିତ ଆଖପାଖ ଅଞ୍ଚଳରେ ଅଗରବତି, କର୍ପୂର ଆଦି ବିକ୍ରିକରି ଟଙ୍କା ରୋଜଗାର କରିଥାନ୍ତି। ସେଥିରୁ କିଛି ଟଙ୍କା ମାଆଙ୍କୁ ସଞ୍ଚୟ କରିବାକୁ ମଧ୍ୟ ଦେଇଥାନ୍ତି।

ସୋମୁଙ୍କ ମାଆ ସେହି ପଇସାକୁ ଯୋଡି ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ କରି ସାଇତି ରଖନ୍ତି। ସେମାନଙ୍କୁ ଏହା ମଧ୍ୟ ଜଣନାହିଁ ଯେ ୨୦୧୬ ରେ ହୋଇଥିବା ବିମୁଦ୍ରୀକରଣରେ ପୁରୁଣା ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ ଅଚଳ ହୋଇଯାଇଛି।

କରୋନା ମହାମାରୀ ସଂକ୍ରମଣ ଯୋଗୁଁ ତାଲାବନ୍ଦ ସମୟରେ ସୋମୁ ଏବଂ ତାଙ୍କ ପତ୍ନୀଙ୍କ କାମ ସମ୍ପୂର୍ଣ୍ଣ ଭାବରେ ବନ୍ଦ ରହିଛି। ତେବେ ଏପରି ପରିସ୍ଥିତି ସେମାନେ ମାଆଙ୍କ ପାଖରୁ ୧୦ ବର୍ଷ ମଧ୍ୟରେ ଜମା କରିଥିବା ୨୪୦୦୦ ଟଙ୍କା(ପୁରୁଣା ନୋଟ) ମାଗିନେଇଥିଲେ।

ଯେତେବେଳେ ସେମାନେ ସେହି ଟଙ୍କାକୁ ବ୍ୟାଙ୍କରେ ଜମାକରିବାକୁ ପହଞ୍ଚିଲେ ସେତେବେଳେ ତାଙ୍କ ଜୀବନ ସାରାର ଜମାପୁଞ୍ଜି ୨୦୧୬ ମସିହାରୁ ଅଚଳ ହୋଇଯାଇଛି ଜାଣି ଭାଙ୍ଗି ପଡ଼ିଥିଲେ।

ସୋମୁ ଏବଂ ତାଙ୍କ ପତ୍ନୀଙ୍କ ପାଇଁ ଏହା କୌଣସି ବଡ଼ ଝଟକାରୁ କମ ନୁହଁ। ସେମାନେ ନୋଟବନ୍ଦୀ ବିଷୟରେ କିଛି ଜାଣିନଥିବାର ଦାବି ମଧ୍ୟ ରଖିଛନ୍ତି। ବର୍ତ୍ତମାନ ପୋଲିସ ଏହି ମାମଲାର ଯାଞ୍ଚ କରିବା ଆରମ୍ଭ କରିଦେଇଛି।

ଏହାପରେ ସୋମୁ ନିଜ ପରିବାରର ସହାୟତା ପାଇଁ ତାମିଲନାଡୁ ମୁଖ୍ୟମନ୍ତ୍ରୀ କେ ପାଲାନିସ୍ୱାମୀଙ୍କ ପାଖରେ ଅନୁରୋଧ କରିଛନ୍ତି। ଏଥିସହିତ ପୋଲିସ ଅନ୍ଧ ଦମ୍ପତିଙ୍କୁ ପଚରାଉଚରା ପାଇଁ ପ୍ରସ୍ତୁତ ହେଉଛି।

ଗତବର୍ଷ ମଧ୍ୟ ତାମିଲନାଡୁର ତିରୁପୁରୁ ଅଞ୍ଚଳରେ ଏପରି ଏକ ମାମଲା ରୁଜ୍ଜୁ ହୋଇଥିଲା। ଦୁଇଜଣ ବୃଦ୍ଧା ଭଉଣୀଙ୍କ ପାଖରେ ୪୬୦୦୦ ହଜାର ପୁରୁଣା ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ ଥିଲା। ସେମାନେ ମଧ୍ୟ ବିମୁଦ୍ରୀକରଣ ବିଷୟରେ ଜାଣିନାହାନ୍ତି ବୋଲି ଦାବି କରିଥିଲେ।

Leave a Reply

Your email address will not be published. Required fields are marked *