ମୃତ୍ୟୁର ୩ ବର୍ଷ ପରେ ପତ୍ନୀଙ୍କୁ ଜୀବିତ କରାଇଲେ ସ୍ଵାମୀ। ପତ୍ନୀଙ୍କୁ ସଜାଇ ତାଙ୍କ ପାଖରେ ବସି ଫୋଟୋ ଉଠାଇଲେ ସ୍ୱାମୀ।

ଏହାକୁ ପଢିବା ପରେ ଆପଣଙ୍କୁ ଚକ୍କର ଆସିଯାଇଥିବ। ଆପଣ ମଧ୍ୟ ଭାବୁଥିବେ ଏହା କିପରି ସମ୍ଭବ ହୋଇପାରିଲା। କେମିତି ଜଣେ ମୃତ୍ୟୁର ୩ ବର୍ଷ ପରେ ଜୀବିତ ହୋଇ ପାରିବେ। କିନ୍ତୁ ଭଲ ପାଇବା ଏମିତି ଏକ ଡୋରି ଯେ, ଯାହା ଅସମ୍ଭବକୁ ମଧ୍ୟ ସମ୍ଭବ କରି ପକାଇଥାଏ। ଏପରି ଏକ ପ୍ରେମ କାହାଣୀ ଲେଖିଛନ୍ତି କର୍ଣ୍ଣାଟକର ଜଣେ ଶିଳ୍ପପତି। ସେ ତାଙ୍କ ପତ୍ନୀଙ୍କ ମୃତ୍ୟୁର ତିନି ବର୍ଷ ପରେ ତାଙ୍କ ସ୍ୱପ୍ନ ପୂରଣ କରିଥିଲେ। କିନ୍ତୁ ଏହି ସ୍ୱପ୍ନରେ ସେ ନିଜ ପତ୍ନୀଙ୍କୁ ମଧ୍ୟ ସ୍ଥାନ ଦେଇଥିଲେ। ପ୍ରେମର ଏହି ଅମର କାହାଣୀ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଏହି ଶାଶ୍ୱତ ପ୍ରେମ କାହାଣୀ ହେଉଛି କର୍ଣ୍ଣାଟକରେ ରହୁଥିବା ଶ୍ରୀନିବାସ ଗୁପ୍ତା ଏବଂ ତାଙ୍କ ପତ୍ନୀ ମାଧବୀଙ୍କର। ମାଧବୀଙ୍କର ଆଗରୁ ସବୁବେଳେ ନିଜର ଏକ ଘର କରିବାର ସ୍ୱପ୍ନ ରହିଥିଲା। କିନ୍ତୁ ତାଙ୍କର ଏହି ସ୍ୱପ୍ନ ପୂର୍ଣ୍ଣ ହେବାର ତିନି ବର୍ଷ ପୂର୍ବରୁ ସେ ମୃତ୍ୟୁଲାଭ କରି ଇହଧାମ ତ୍ୟାଗ କରିଥିଲେ।

ମାଧବୀଙ୍କର ୨୦୧୭ ମସିହା ଜୁଲାଇ ମାସରେ ବିୟୋଗ ହୋଇଯାଇଥିଲା। ମୃତ୍ୟୁ ସମୟରେ ମଧ୍ୟ ନିଜ ସ୍ବପ୍ନର ମହଲରେ ନରହି ପାରିବାର ଦୁଃଖ ପ୍ରକାଶ କରିଥିଲେ। ପତ୍ନୀଙ୍କର ଶେଷ ସମୟର ଏହି ଦୁଃଖ ସ୍ୱାମୀ ଶ୍ରୀନିବାସଙ୍କୁ କଷ୍ଟ ପହଞ୍ଚାଇ ଥିଲା।

ବର୍ତ୍ତମାନ ପତ୍ନୀଙ୍କ ମୃତ୍ୟୁର ଦୀର୍ଘ ୩ ବର୍ଷ ପରେ ଏହି ଶିଳ୍ପପତି ଜଣକ ତାଙ୍କ ପତ୍ନୀଙ୍କ ସ୍ମୃତିରେ କୋପ୍ପୁଲ ନିବାସ ନାମକ ତାଙ୍କ ସ୍ବପ୍ନର ମହଲ ବନାଇ ସାରିଛନ୍ତି। କିନ୍ତୁ ଏହି ଘରର ମଝିରେ ସେ ନିଜ ସ୍ତ୍ରୀଙ୍କର ଏକ ଭବ୍ୟ ମୂର୍ତ୍ତି ବନାଇଛନ୍ତି।

ସେ ତାଙ୍କ ପତ୍ନୀ ମାଧବୀଙ୍କର ସିଲିକନ ମହମରେ ଏକ ପ୍ରତିମୂର୍ତ୍ତି ବନାଇଛନ୍ତି। ଗୋଟିଏ ନଜରରେ କେହି କହି ପାରିବେନି ଯେ ଏହା ଜଣେ ମଣିଷ ନୁହନ୍ତି କେବଳ ଗୋଟିଏ ପ୍ରତିମୂର୍ତ୍ତି ବୋଲି। ଏହାର କାରିଗରୀ ଏତେ ନିଖୁଣ ହୋଇଛି ଯେ ଲାଗୁଛି ସତେ ଯେମିତି ନିଜେ ମାଧବୀ ସେଠାରେ ବସି ରହିଛନ୍ତି।

ବାସ୍ତୁକାର ଏବଂ ରଙ୍ଗନାନାୱରଙ୍କ ସାହାଯ୍ୟରେ ଏହି ପ୍ରତିମୂର୍ତ୍ତିଟିକୁ ନିଜ ନୂତନ ଘରରେ ସ୍ଥାପିତ କରିଛନ୍ତି ଶ୍ରୀନିବାସ। ଏଥିରେ ମାଧବୀ ମଜେଣ୍ଟା ରଙ୍ଗର ଶାଢୀ ପିନ୍ଧିଛନ୍ତ। ଏହାଛଡା ସେ ଆଭୂଷଣ ମଧ୍ୟ ଧାରଣ କରିଛନ୍ତି।

ଏହି ପ୍ରତିମୂର୍ତ୍ତିଟିକୁ ପ୍ରସ୍ତୁତ କରିବା ପାଇଁ ସମ୍ପୂର୍ଣ୍ଣ ୧ ବର୍ଷ ଲାଗିଯାଇଥିଲା। ଶ୍ରୀନିବାସ କହିଛନ୍ତି ଯେ, ତାଙ୍କ ପତ୍ନୀ ମାଧବୀଙ୍କ ସ୍ୱପ୍ନ ସାକାର ହୋଇଛି ଏବେ ସେ ଶାନ୍ତି ପାଇଥିବେ। ଘରର ମଝିରେ ବସି ସେ ନିଜ ସ୍ବପ୍ନର ମହଲରେ ରହି ପାରିବେ।

ଏହି ପ୍ରେମ କାହାଣୀ ତୀବ୍ରତା ସହିତ ଭାଇରାଲ ହେବାରେ ଲାଗିଛି। କିଛି ଲୋକ ଶ୍ରୀନିବାସଙ୍କୁ ଶାହାଜହାନ କହୁଥିବା ବେଳେ ଅନ୍ୟ କେହି ମାଧବୀଙ୍କୁ ଭାଗ୍ୟଶାଳୀ ବୋଲି କହିଛନ୍ତି। କାରଣ ଆଜିକାଲିର ସମୟରେ ତାଙ୍କୁ ଏତେ ଭଲପାଉଥିବା ସ୍ୱାମୀ ମିଳିଛି।

Leave a Reply

Your email address will not be published. Required fields are marked *