ସୁସ୍ଥ ହେବାର ଦୁଇ ମାସ ପରେ ମଧ୍ୟ ପିଛା ଛାଡୁନି କରୋନା। କରୋନାରୁ ଅରୋଗ୍ୟ ହେବାର ୨ ମାସ ପରେ ବି ସୁସ୍ଥ ବ୍ୟକ୍ତିଙ୍କ ଠାରେ ଦେଖିବାକୁ ମିଳୁଛି ମହାମାରୀ କରୋନାର ଲକ୍ଷଣ।

କରୋନାରେ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ଠାରେ ସୁସ୍ଥ ହେବାର ଦୁଇମାସ ପରେ ମଧ୍ୟ କରୋନାର ଲକ୍ଷଣ ଦେଖା ଦେଉଛି। ଡାକ୍ତରଖାନା ଚିକିତ୍ସିତ ହୋଇ ସୁସ୍ଥ ହେବାର ଦୁଇ ମାସ ପରେ ବି ସେମାନଙ୍କ ଠାରେ କରୋନା ସମ୍ବନ୍ଧିତ ଅନେକ ଲକ୍ଷଣ ଦେଖିବାକୁ ମିଳୁଛି। JAMA ଜାର୍ଣ୍ଣାଲର ରିସର୍ଚରମନେ ମଧ୍ୟ ଏହି କଥା କହିଛନ୍ତି। ଇଟାଲୀର ବୈଜ୍ଞାନିକମନେ ଗବେଷଣା କରି କହିଛନ୍ତି ଯେ ଏହି ରୋଗରେ ଭଲ ହେବାର ୨ ମାସ ପରେ ମଧ୍ୟ ରୋଗୀ ଠାରେ ଥକା ଲାଗିବା ପରି ଆହୁରୁ ଅନେକ ଲକ୍ଷଣ ରହିଥାଏ।

ଇଟାଲୀରେ ୧୪୩ କରୋନା ସଂକ୍ରମିତ ଲୋକଙ୍କ ଉପରେ ପରୀକ୍ଷଣ କରାଗଲା ଯେଉଁମାନେ ଡାକ୍ତରଖାନାରୁ ସୁସ୍ଥ ହୋଇ ଘରକୁ ଫେରିସାରିଥିଲେ। ଏହି ପରୀକ୍ଷାର ଫଳ ସ୍ଵରୂପ ଜଣାପଡିଲା ଯେ ୯୦ ପ୍ରତିଶତ କରୋନା ସୁସ୍ଥ ରୋଗୀଙ୍କ ଠାରେ ଦୁଇମାସ ପରେ ମଧ୍ୟ ଏହାର ଲକ୍ଷଣ ଉପସ୍ଥିତ ରହୁଛି। ଅଳ୍ପ କାମ କଲେ ଥକା ଲାଗିବା, ନିଶ୍ଵାସ ପ୍ରଶ୍ୱାସରେ ଅସୁବିଧାର ଅନୁଭବ କରିବା, ଶରୀରର ଗଣ୍ଠିରେ ଯନ୍ତ୍ରଣା ଅନୁଭୂତି ହେବା ପରି ଅନେକ କଷ୍ଟ ପାଇଥାନ୍ତି। ରୋମର ଏକ ଡାକ୍ତର ଏଞ୍ଜେଲୋ କାର୍ଫି ଏହି ଗବେଷଣାର ନେତୃତ୍ୱ କରିଛନ୍ତି।

ଡେଲି ମେଲର ରିପୋର୍ଟ ଅନୁଯାୟୀ ଗବେଷଣାରୁ ଜଣାପଡିଛି ଚିକିତ୍ସାର ୬୦ ଦିନ ପରେ ମାତ୍ର ୧୨.୬ ପ୍ରତିଶତ କରୋନା ଲକ୍ଷଣ କବଳରୁ ମୁକ୍ତି ପାଇ ପାରିଛନ୍ତି। ଏହି ଅଧ୍ୟୟନ ସମୟରେ ଅନେକ ଲୋକ କହିଥିଲେ ଯେ ତାଙ୍କ ଜୀଵନ ପୂର୍ବ ଅପେକ୍ଷା ଅଧିକ ଖରାପ ହୋଇଯାଇଛି। ଏହି ଅଧ୍ୟୟନର ଫଳାଫଳ ଅଧିକ ଚିନ୍ତାଜନକ ବୋଲି ଗବେଷକମାନେ ପ୍ରକାଶ କରିଛନ୍ତି।

ଏହାପୂର୍ବରୁ ହୋଇଥିବା ଅନ୍ୟଏକ ଗବେଷଣାରେ ଦେଖାଯାଇଛି ଯେ ୧୦ ପ୍ରତିଶତ କରୋନା ରୋଗୀଙ୍କର ସ୍ଵାଦ କିମ୍ବା ଗନ୍ଧ ଜାଣିପାରିବାର ଶକ୍ତି ଚାଲିଯାଇଥାଏ ଯାହା ଗୋଟିଏ ମାସ ପରେ ମଧ୍ୟ ଠିକ ହୋଇ ନଥାଏ। ବାସ୍ତବରେ କରୋନା ଏକ ନୂତନ ରୋଗ ହୋଇଥିବାରୁ ଦୀର୍ଘଦିନ ପର୍ଯ୍ୟନ୍ତ କରୋନା ରୋଗୀଙ୍କ ଉପରେ କେଉଁ ପ୍ରଭାଵ ପକାଇବ ତାହା ଡାକ୍ତରମନେ ଏଯାବତ ଜାଣିପାରି ନାହାନ୍ତି।

ଇଟାଲୀର କରାଯାଇଥିବା ଗବେଷଣାରେ ଏହା ମଧ୍ୟ ସମ୍ନାକୁ ଆସିଛି ଯେ କରୋନାରେ ଆରୋଗ୍ୟ ହୋଇଥିବା ୫୫ ପ୍ରତିଶତ ଲୋକଙ୍କ ଠାରେ ଦୁଇ ମାସ ପରେ ମଧ୍ୟ ୩ କିମ୍ବା ୩ରୁ ଅଧିକ ଲକ୍ଷଣ ଦେଖା ଦେଇଛି। ୩୨ ପ୍ରତିଶତ ଲୋକଙ୍କ ଠାରେ ଗୋଟିଏ କିମ୍ବା ଦୁଇଟି ଲକ୍ଷଣ ପରିଲକ୍ଷିତ ହୋଇଛି। ଏଥିସହିତ ଶତକଡ଼ା ୪୩ ପ୍ରତିଶତ ଲୋକ ନିଶ୍ୱାସ ନେବାରେ କଷ୍ଟ ଭୋଗୁଥିବା ବେଳେ ୨୧ ପ୍ରତିଶତ ଲୋକ ଛାତିରେ ଯନ୍ତ୍ରଣା ଭୋଗୁଥିଲେ। ତେବେ ଏହି ବ୍ୟକ୍ତିମନେ କରୋନାରୁ ମୁକ୍ତ ଥିବା ଘୋଷିତ ହୋଇସାରିଛନ୍ତି।

Leave a Reply

Your email address will not be published. Required fields are marked *