ସୋମନାଥଙ୍କୁ ବଡ଼ ବିପଦରୁ ବଞ୍ଚାଇଦେଲେ ସବ୍ୟସଚୀ, ୩ କୋଟି ଟଙ୍କା ପାଇବାର ଲୋଭ।

କରୋନା ଲୋକ ମାନଙ୍କ ପାଇଁ ଅନେକ ଦୁଃଖ କଷ୍ଟ ସହିତ ଆଣିଦେଇଛି ଅଭାବ ଅନାଟନ। କିଏ ଜୀବିକା ହରାଇଛନ୍ତି ତ କିଏ ଆତ୍ମୀୟ ମାନଙ୍କୁ ହରାଇଛନ୍ତି ତ ଆଉ କିଏ ସବୁକିଛି ହରାଇ ସର୍ବସନ୍ତ ହୋଇଛନ୍ତି। କରୋନା ମହାମାରୀର ଏହି ଲଢେଇରେ ଜୀବନ ବଞ୍ଚାଇବା ଅବସରରେ ଚାଲି ଯାଇଛି ଜୀବିକା। ଏପରି ଏକ ଘଟଣା ରାଜଧାନୀ ଭୁବନେଶ୍ବରର କଳିଙ୍ଗ ବିହାରରୁ ସାମ୍ନାକୁ ଆସିଛି।

ଓଡିଶାର ରାଜଧାନୀ ଭୁବନେଶ୍ୱରର କଳିଙ୍ଗ ବିହାର ଛକ ନିକଟରେ କରୋନା ମହାମାରୀର କାରଣରୁ କରାଯାଇଥିବା ତାଲାବନ୍ଦର ମାତ୍ର ଏକ ରୁ ଦେଢ଼ ମାସ ପୂର୍ବରୁ ଅର୍ଥାତ ଗତ ଫେବୃଆରୀ ମାସରେ ଘର ଭଡା ନେଇ ଏକ ହୋଟେଲ ଆରମ୍ଭ କରିଥିଲେ ସମୋନାଥ ଗାହାଣ। କରୋନା କଟକଣା କାରଣରୁ ଦୀର୍ଘ ୫ ମାସ ଧରି ବନ୍ଦ ରହିଛି ତାଙ୍କ ହୋଟେଲ। ଉପାର୍ଜନର ଏକମାତ୍ର ସାହାରା ହରାଇବା ପରେ ହୋଟେଲ ଘରଟିର ଭଡା ଦେଇ ପାରିନାହାନ୍ତି ସମୋନାଥ। ଭଡା ନଦେଲେ ଦୋକାନ ଖାଲି କରିବାକୁ ମଧ୍ୟ ଚେତାବନୀ ଦେଇଛନ୍ତି ଘର ମାଲିକ।

ସେପଟେ ଗତ ୧୪ ଦିନ ତଳେ ସମୋନାଥଙ୍କର ସ୍ତ୍ରୀ ପିଲାଟିଏ ଜନ୍ମ ଦେଇଛନ୍ତି। ବୋଝ ଉପରେ ନଳିତା ବିଡା ପରି ସଞ୍ଚିତ ସମସ୍ତ ଅର୍ଥ ହସ୍ପିଟାଲରେ ସ୍ତ୍ରୀ ଓ ପିଲାଙ୍କ ପଛରେ ଖର୍ଚ୍ଚ ହୋଇଯାଇଛି। ତେବେ ଘର ଭଡା ତ ଦୂରର କଥା ପେଟପାଟଣା ପାଇଁ ମଧ୍ୟ ଟଙ୍କା ଆସିବ କେଉଁଠୁ? ଏପରି ଚିନ୍ତାରେ ଥିବା ବେଳେ ସେ ସୋସିଆଲ ମିଡିଆରେ କିଡନୀ ଦେଲେ ୩ କୋଟି ଟଙ୍କା ମିଳିବ ବୋଲି ଏକ ବିଜ୍ଞାପନ ଦେଖିଥିଲେ। ଏନେଇ ବିଜ୍ଞାପନ ଦାତାଙ୍କ ସହିତ ଏକାଧିକ ସମୟ ସମ୍ପର୍କ ମଧ୍ୟ କରିଥିଲେ ସମୋନାଥ। ବିଜ୍ଞାପନ ଦାତା ସମୋନାଥଙ୍କୁ ବାରମ୍ବାର ଦିଲ୍ଲୀ ଆସିବାକୁ ଡାକୁଥିଲେ।

ଏହି ସମୟରେ ସେ ଅଭିନେତା ସବ୍ୟସାଚୀଙ୍କ ସହିତ ଯୋଗାଯୋଗ କରିଥିଲେ ଏବଂ ସବ୍ୟସାଚୀ ମଧ୍ୟ ତାଙ୍କୁ ସାହାଯ୍ୟ କରିବାର ପ୍ରତିଶ୍ରୁତି ଦେଇ ଦିଲ୍ଲୀ ନଯିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ଏହି ବିଜ୍ଞାପନକୁ ନେଇ ନିଜେ ଖୋଳତାଡ଼ କରିଥିଲେ ସବ୍ୟସାଚୀ। ସେ ଜାଣିବାକୁ ପାଇଲେ ବିଜ୍ଞାପନ ଦେଇଥିବା ଏପରି କୌଣସି ଡାକ୍ତରଖାନା ନାହିଁ। ସବ୍ୟସାଚୀଙ୍କ ସାହାଯ୍ୟରୁ ଏକ ବଡ଼ ଧରଣର ବିପଦରୁ ବଞ୍ଚି ଯାଇଥିଲେ ସମୋନାଥ। ବର୍ତ୍ତମାନ ଏହି ଠକଙ୍କ ବିରୋଧରେ ଭୁବନେଶ୍ୱର ଡିସିପିଙ୍କ ଠାରେ ଅଭିଯୋଗ କରିଛନ୍ତି ସମୋନାଥ ଗାହାଣ।

ଏବିଷୟରେ ସମୋନାଥ କହିଛନ୍ତି ଯେ,”ମୁଁ ଫେସବୁକରୁ ଏହି କିଡନୀ ବିକି ୩ କୋଟି ପାଇବାର ବିଜ୍ଞାପନ ଦେଖିଥିଲି। ମୁଁ ତାଙ୍କ ସହିତ ଯୋଗାଯୋଗ କରିବା ପରେ ସେମାନେ ମୋତେ ବାରମ୍ବାର କିଡନୀ ବିକ୍ରି କରିବା ପାଇଁ ଦିଲ୍ଲୀ ଆସିବାକୁ ବାଧ୍ୟ କରୁଥିଲେ। କିଡନୀ ବଦଳରେ ମୋତେ ୩ କୋଟି ଟଙ୍କା ଦେବେ ବୋଲି ମଧ୍ୟ କହିଥିଲେ। ମୋର ଆର୍ଥିକ ସ୍ଥିତି ବହୁତ ଖରାପ ରହିଛି ଏହାଛଡା ମୁଁ ବହୁତ ଲୋକଙ୍କ ଠାରୁ ସାହାଯ୍ୟ ମାଗି ପାଇନଥିବା ବେଳେ ବାଧ୍ୟ ହୋଇ କିଡନୀ ବିକିବା ପାଇଁ ନିଷ୍ପତ୍ତି ନେଇଥିଲି। କିନ୍ତୁ ମୁଁ ଜାଣି ନଥିଲି ଏପରି ଠକେଇର ଶିକାର ହୋଇଯିବି।”

ସବ୍ୟସାଚୀ ନିଜ ପ୍ରତିକ୍ରିୟା ରଖିବାକୁ ଯାଇ କହିଛନ୍ତି, “କିଛି ଦିନ ପୂର୍ବେ ମୋ ପାଖକୁ ସମୋନାଥ ଗାହାଣଙ୍କର ଏକ ଟ୍ୱିଟ ଆସିଥିଲା, ଯେଉଁଥିରେ ସେ ଉଲ୍ଲେଖ କରିଥିଲେ ତାଙ୍କର ଆର୍ଥିକ ପରିସ୍ଥିତି ବହୁତ ଖରାପ ରହିଛି। ସେଥିପାଇଁ ସେ ନିଜର କିଡନୀ ବିକ୍ରି କରିବାକୁ ଯାଉଛନ୍ତି, ତେବେ କିଡନୀ ବିକ୍ରି କରିବା କଥାଟି ମୋତେ ବହୁତ ଅସ୍ତବ୍ୟସ୍ତ କରିପକାଇଥିଲା। ମୁଁ ଶୀଘ୍ରତାର ସହିତ ତାଙ୍କ ଫୋନ ନମ୍ବର ସଂଗ୍ରହ କରି ତାଙ୍କ ସହିତ ଯୋଗାଯୋଗ କରିଥିଲି। ତାଙ୍କ ପାଖରୁ ସମସ୍ତ ବିବରଣୀ ସହିତ ସ୍କ୍ରିନସଟ ମଧ୍ୟ ମଗାଇ ଦେଖି ଥିଲି। ବହୁତ ବ୍ୟସ୍ତ ଲାଗିଥିଲା ଯେ, ଏପରି ଏକ ବଡ଼ ର୍ୟାକେଟ ଏମିତି ଯୋଜନାବଦ୍ଧ ଉପାୟରେ ତାଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା କରିଛନ୍ତି।

ତେବେ ଏହି ର୍ୟାକେଟର ଉଦ୍ଦେଶ୍ୟ କଣ ରହିଥିଲା, କିଡନୀ ନେବାକୁ ଚାହୁଁଥିଲେ କିମ୍ବା ଅନ୍ୟ କିଛି ଉଦ୍ଦେଶ୍ୟ ରହିଥିଲା ତାହା ଏକ ତଦନ୍ତ ପରେ ହିଁ ଜଣାପଡିବ। ଆଜିକାଲି ପ୍ରାୟ ସମସ୍ତଙ୍କର ଆର୍ଥିକ ସ୍ଥିତି ଖରାପ ଥିବାରୁ ଏହିପରି ଗରିବ ଲୋକଙ୍କୁ ଶିକାର କରିବାକୁ ଚେଷ୍ଟା କରୁଛନ୍ତି କିଛି ଠକ ସଂସ୍ଥା। ମୁଁ ଜନସାଧାରଣଙ୍କୁ ଅନୁରୋଧ କରୁଛି ଯେ ଅନଲାଇନ କିମ୍ବା ସୋସିଆଲ ମିଡିଆରେ ଏପରି ଅଧିକ ଅର୍ଥ ରାଶି ଦେବାର ଲୋଭ ଦେଖାଉଥିବା ର୍ୟାକେଟର ବିଜ୍ଞାପନ ପ୍ରତି ସତର୍କ ରୁହନ୍ତୁ।”

ବନ୍ଧୁଗଣ ଏହାକୁ ନେଇ ଆପଣଙ୍କ ମତାମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଲେଖା ଭଲ ଲାଗିଥାଏ ଲାଇକ ଶେୟାର କରିବାକୁ ଅନୁରୋଧ | ଏମିତି ପ୍ରିତିଦିନ ନୂଆ ନୂଆ ଦେଶ ବିଦେଶର ଖବର ସହ ମନରଞ୍ଜନ, ସ୍ୱାସ୍ଥ୍ୟ ଓ ଧର୍ମ ଜ୍ୟୋତିଷ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ଫେସବୁକ ପେଜ କୁ ଲାଇକ କରନ୍ତୁ |

Leave a Reply

Your email address will not be published. Required fields are marked *