ଦୀର୍ଘ ୫୫୮ ବର୍ଷ ପରେ ଆସୁଛି ଏପରି ବିରଳ ରକ୍ଷାବନ୍ଧନ। ଏପରି ଦୁର୍ଲଭ ଯୋଗରେ ଏହି ରାଶି ମାନଙ୍କ ଉପରେ ପଡିବ ଗଭୀର ପ୍ରଭାବ।

ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା ମୁଖ୍ୟତଃ ଏକ ହିନ୍ଦୁ ପର୍ବ ଯାହାକୁ ଧୁମଧାମରେ ପାଳନ କରିଥାନ୍ତି ଭାରତବାସୀ। ଏହି ପର୍ବ ଭାଇ ଓ ଭଉଣୀଙ୍କ ମଧ୍ୟରେ ବନ୍ଧୁତ୍ୱକୁ ଦୃଢ଼ କରିଥାଏ । ଏହି ଦିନ ଭଉଣୀ, ଭାଇ ହାତରେ ରାକ୍ଷୀ ବାନ୍ଧିବା ସହିତ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପ୍ରାର୍ଥନା କରିଥାଏ। ଏଥିସହିତ ଭାଇ, ତା’ର ଭଉଣୀକୁ ରକ୍ଷା କରିବାର ସଂକଳ୍ପ ନେଇଥାଏ। ଏହି ପର୍ବ ଶ୍ରାବଣ ମାସର ପୂର୍ଣ୍ଣମୀ ଦିନ ପାଳନ କରାଯାଇଥାଏ। ଏବର୍ଷ ଅଗଷ୍ଟ ମାସ ୩ ତାରିଖରେ ପଡୁଥିବା ପବିତ୍ର ରକ୍ଷାବନ୍ଧନ ବହୁତ ବିଶେଷ ଅଟେ। ଏପରି ଏକ ବିଶେଷ ଯୋଗ ଦୀର୍ଘ ୫୫୮ ବର୍ଷ ପରେ ସୃଷ୍ଟି ହେଉଛି।

ପଣ୍ଡିତଙ୍କ ମୁତାବକ ଚଳିତ ବର୍ଷ ରାକ୍ଷୀ ପୂର୍ଣ୍ଣିମାରେ ରାହୁ ମିଥୁନ ରାଶିରେ ରହିବେ ଏବଂ କେତୁ ଧନୁ ରାଶିରେ। ଯେଉଁଥିପାଇଁ ଏକ ବିଶେଷ ଯୋଗ ସୃଷ୍ଟି ହେବ। ଏହା ପୂର୍ବରୁ ଏପରି ଯୋଗ ୫୫୮ ବର୍ଷ ପୂର୍ବେ ଅର୍ଥାତ ୧୪୬୨ ମସିହାରେ ସୃଷ୍ଟି ହୋଇଥିଲା। ୧୪୬୨ ମସିହାରେ ରାହୁ ଏବଂ କେତୁଙ୍କର ସ୍ଥିତି ଏମିତି ହିଁ ରହିଥିଲା। ପଣ୍ଡିତଙ୍କ ଅନୁସାରେ ଏବର୍ଷ ରକ୍ଷାବନ୍ଧନରେ ଗୁରୁ ନିଜ ରାଶି ଧନୁରେ ଏବଂ ଶନି ମକରରେ ବକ୍ର ଦୃଷ୍ଟି ରଖିବେ। ଚନ୍ଦ୍ର ଶନିଙ୍କ ସହିତ ମକର ରାଶିରେ ଅବସ୍ଥାନ କରିବେ। ଗ୍ରହମାନଙ୍କର ଏପରି ସ୍ଥିତି ବହୁତ ଶୁଭ ରହିବ।

୧୨ଟି ରାଶି ଉପରେ ରହିବ ଗ୍ରହଙ୍କ ପ୍ରଭାବ:

ରାକ୍ଷୀ ପୂର୍ଣ୍ଣିମା ଦିନ ସୃଷ୍ଟି ହେଉଥିବା ଯୋଗରେ ମେଷ, ବୃଷ, କନ୍ୟା, ବିଛା, ଧନୁ, ମକର ଏବଂ ମୀନ ଆଦି ରାଶିର ବ୍ୟକ୍ତି ମାନଙ୍କ ଉପରେ ଶୁଭ ପ୍ରଭାବ ପଡ଼ିବ ଏବଂ କାର୍ଯ୍ୟରେ ସଫଳତା ମିଳିବ। ଖାଲି ଏତିକି ନୁହଁ ଏହି ରାଶିର ବ୍ୟକ୍ତିଙ୍କ ପାଇଁ ସ୍ୱାସ୍ଥ୍ୟ ଅବସ୍ଥାରେ ମଧ୍ୟ ଉନ୍ନତି ଆସିବ। ମାତ୍ର ମିଥୁନ, ସିଂହ, ତୁଳା ଏବଂ କୁମ୍ଭ ରାଶିର ଲୋକମାନେ ସାବଧାନତା ଅବଲମ୍ବନ କରନ୍ତୁ। ସେହିପରି କର୍କଟ ରାଶି ଉପରେ ସାମାନ୍ୟ ପ୍ରଭାବ ଦେଖିବାକୁ ମିଳିବ।

ରାକ୍ଷୀ ବନ୍ଧିବାର ସମୟ:

ଅଗଷ୍ଟ ମାସ ୩ ତାରିଖ ଦିନ ସକାଳ ୭ ଘଟିକା ୩୦ ମିନିଟରୁ ସମ୍ପୂର୍ଣ୍ଣ ଦିନ ଶ୍ରବଣ ନକ୍ଷତ୍ର ରହିବ। ଆପଣ ଏହି ଦିନ ୯ ଘଟିକା ୨୯ ମିନିଟ ପର ଠାରୁ ଆରମ୍ଭ କରି ଦିନ ସାରା ରାକ୍ଷୀ ବାନ୍ଧି ପାରିବେ। ଏହି ଦିନ ପୂର୍ଣ୍ଣିମା ଦିନରେ ଆସିଥାଏ ସେଥିପାଇଁ ଆପଣ ଏହି ଦିନରେ ଗୁରୁଙ୍କ ପୂଜା ମଧ୍ୟ କରି ପାରିବେ। ଗୁରୁଙ୍କ ପୂଜା କରି ତାଙ୍କ ଠାରୁ ଆଶୀର୍ବାଦ ନିଅନ୍ତୁ।

ରକ୍ଷା ସୂତ୍ର ବାନ୍ଧିବାର ଉପାୟ:

*ରକ୍ଷା ବନ୍ଧନ ଦିନ ପ୍ରାତଃ ଉଠି ସ୍ନାନ କରି ନିଅନ୍ତୁ। ଗାଧୋଇବା ପରେ ଥାଳିରେ କିଛି ସୋରିଷ ଦାନା, କେସର, ଚନ୍ଦନ, ଚାଉଳ, ଦୁବ ଘାସ ଏବଂ ରକ୍ଷା ସୂତ୍ର ରଖି ନିଅନ୍ତୁ। *ଏହି ଥାଳିକୁ ସଜାଇବା ପରେ ମନ୍ଦିରକୁ ନେଇ ରକ୍ଷା ସୂତ୍ରର ପୂଜା କରି ନିଅନ୍ତୁ। *ପୂଜା କରିବା ପରେ ନିଜ ଭାଇର ଡାହାଣ ହାତ ମଣିବନ୍ଧରେ ରକ୍ଷା ସୂତ୍ର ବାନ୍ଧି ଦିଅନ୍ତୁ। ଏହାପରେ ଭାଇର ମୁହଁ ମିଠା କରାନ୍ତୁ। ଯଦି ଭାଇ ସାନ ହୋଇଥିବେ ତେବେ ବଡ଼ ଭଉଣୀର ପାଦ ଛୁଇଁ ଆଶୀର୍ବାଦ ନେଇ ନିଅନ୍ତୁ।

ରାକ୍ଷୀ ସହିତ ଯୋଡିଥିବା କାହାଣୀ:

ରାକ୍ଷୀ ସହିତ ଯୋଡିଥିବା କଥା ଅନୁସାରେ ସର୍ବ ପ୍ରଥମେ ଇନ୍ଦ୍ରାଣୀ ଦେବରାଜ ଇନ୍ଦ୍ରଙ୍କ ହାତରେ ରାକ୍ଷୀ ବାନ୍ଧି ଥିଲେ। କୁହାଯାଏ ଯେ, ଦେବତା ଏବଂ ଅସୁରଙ୍କ ମଧ୍ୟରେ ଯୁଦ୍ଧ ହୋଇଥିଲା। ଯେଉଁଥିରେ ଦେବତାମାନେ ପରାଜିତ ହୋଇଥିଲେ। ଅସୁର ମାନେ ସ୍ଵର୍ଗରେ ନିଜର ଅଧିକାର ବିସ୍ତାର କରିନେଇଥିଲେ। ଯେତେବେଳେ ପୁନଃ ସ୍ଵର୍ଗ ଉପରେ ଅଧିକାର ପାଇବା ପାଇଁ ଦେବରାଜ ଇନ୍ଦ୍ର ଏବଂ ଅନ୍ୟ ଦେବତା ମାନେ ବୃହସ୍ପତିଙ୍କୁ ସାହାଯ୍ୟ ମାଗିଥିଲେ ସେତେବେଳେ ଇନ୍ଦ୍ର କହିଥିଲେ ସେ ସ୍ୱର୍ଗ ଛାଡି ଯାଇ ପାରିବେ ନାହିଁ।

ଇନ୍ଦ୍ର ଏବଂ ବୃହସ୍ପତିଙ୍କ ଏହି କଥା ଇନ୍ଦ୍ରାଣୀ ଶୁଣି ନେଇଥିଲେ ଏବଂ ଶ୍ରାବଣ ମାସର ପୂର୍ଣ୍ଣିମା ଦିନ ପୂର୍ଣ୍ଣ ବିଧି ବିଧାନ ସହିତ ରକ୍ଷା ସୂତ୍ର ପ୍ରସ୍ତୁତ କରିଥିଲେ। ଯାହାକୁ ଇନ୍ଦ୍ରଙ୍କ ହାତରେ ବାନ୍ଧି ଦେଇଥିଲେ। ଇନ୍ଦ୍ରାଣୀ ରକ୍ଷା ସୂତ୍ର ବାନ୍ଧି ଇନ୍ଦ୍ରଙ୍କୁ କହିଥିଲେ ଯେ, ଏହି ରକ୍ଷା ସୂତ୍ର ସାହାଯ୍ୟରେ ତାଙ୍କୁ ବିଜୟ ପ୍ରାପ୍ତି ହେବ ଏବଂ ଦେବତାଙ୍କୁ ସ୍ୱର୍ଗ ଲୋକର ପ୍ରାପ୍ତି ହୋଇଯିବ। ଇନ୍ଦ୍ର ଓ ଦେବତା ମାନେ ଅସୁରଙ୍କ ସହିତ ଯୁଦ୍ଧ କରିଥିଲେ ଏବଂ ଅସୁରଙ୍କୁ ପରାଜିତ କରି ସ୍ଵର୍ଗ ଲୋକରେ ପୁନଃ ଅଧିକାର କରିନେଇଥିଲେ। ସେହି ଦିନଠାରୁ ଆଜି ପର୍ଯ୍ୟନ୍ତ ଏହି ପର୍ବ ପାଳନ କରାଯାଇ ଆସୁଛି।

Leave a Reply

Your email address will not be published. Required fields are marked *