ବିହାରର ଗୟାରୁ ଜଣେ ଡାକ୍ତରଙ୍କର ଏକ ବିରାଟ ଦାୟିତ୍ବହୀନ କାର୍ଯ୍ୟକଳାପ ଦେଖିବାକୁ ମିଳିଛି। ଆରୋପ ରହିଛି ଯେ, ଡାକ୍ତର ଅସ୍ତ୍ରୋପଚାର ସମୟରେ ୨୧ ବର୍ଷର ଜଣେ ମହିଳାଙ୍କ ପେଟରେ ତଉଲିଆ ଛାଡି ଦେଇଥିଲେ। ତେବେ ବାସ୍ତବରେ ମୀରା ଦେବୀ ନାମକ ମହିଳାଙ୍କୁ ପ୍ରସବ ପୀଡା ହେବା ପରେ ଖିଜରସରାୟ ଅଞ୍ଚଳର ଗୋଟିଏ ଘରୋଇ କ୍ଲିନିକରେ ଭର୍ତ୍ତି କରାଯାଇଥିଲା।
ଜୁଲାଇ ୨୯ ତାରିଖ ଦିନ ପ୍ରସବ କରାଇବା ପାଇଁ ଡାକ୍ତର ମାନେ ମହିଳା ଜଣଙ୍କର ଅସ୍ତ୍ରୋପଚାର କରାଇଥିଲେ। କିନ୍ତୁ ମହିଳାଙ୍କର ଅସ୍ତ୍ରୋପଚାର କରି ପ୍ରସବ କରାଇବା ପରେ ମଧ୍ୟ ଯନ୍ତ୍ରଣା କମ ହୋଇନଥିଲା। ମହିଳାଙ୍କ ଯନ୍ତ୍ରଣା କମିବା ସ୍ଥାନରେ ଓଲଟା ବଢିଯାଇଥିଲା। ଅସ୍ତ୍ରୋପଚାର ପରେ ତାଙ୍କୁ ଲଗାତର କଷ୍ଟ ହେଉଥିଲା ଏବଂ ପସ ବାହାରୁ ଥିଲା।
ଚିନ୍ତିତ ହୋଇ ପରିବାର ଲୋକମାନେ ରୋଗୀଙ୍କୁ ପାଟଣା ପହଞ୍ଚିଥିଲେ କିନ୍ତୁ ଏହାପରେ ମଧ୍ୟ ମହିଳାଙ୍କ ଯନ୍ତ୍ରଣା କମ ହୋଇ ନଥିଲା। ପୁଣି ପରିବାର ଲୋକ ମହିଳାଙ୍କୁ ଅନ୍ୟ ଏକ ଘରୋଇ କ୍ଲିନିକରେ ଭର୍ତ୍ତି କରାଇଥିଲେ ଯେଉଁଠାରେ ଡାକ୍ତର ମହିଳାଙ୍କର ସିଟି ସ୍କାନ କରାଇବା ପାଇଁ ପରାମର୍ଶ ଦେଇଥିଲେ। ସିଟି ସ୍କାନ ରିପୋର୍ଟ ଦେଖି ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲେ ଡାକ୍ତର। କାରଣ ସିଟି ସ୍କାନ ରିପୋର୍ଟରେ ମହିଳାଙ୍କ ପେଟର ଗୋଟିଏ ସ୍ଥାନରେ କିଛି ଜିନିଷ ଦେଖା ଯାଉଥିଲା।
ଯେତେବେଳେ ଡାକ୍ତର ଦ୍ଵିତୀୟଥର ଅପରେସନ କରାଇଥିଲେ ସେତେବେଳେ ସେମାନେ ସ୍ତବ୍ଧ ରହିଯାଇଥିଲେ କାରଣ ମହିଳାଙ୍କ ପେଟରୁ ଏକ ତଉଲିଆ ବାହାରିଥିଲା। ସାଧାରଣତଃ ଏହି ପ୍ରକାରର ତଉଲିଆର ବ୍ୟବହାର ଅପରେସନ ଥିଏଟରରେ ଅପରେସନ କରାଇବା ସମୟରେ ଡାକ୍ତର ମାନେ କରିଥାନ୍ତି।
ମହିଳାଙ୍କ ପରିବାର ସଦସ୍ୟ ମୋହନ କୁମାର କହିଥିଲେ ଯେ, ତାଙ୍କ ଭାଇର ପତ୍ନୀଙ୍କର ପ୍ରଥମ ଥର ପ୍ରସବ ହେବାର ଥିଲା। ଏଥିପାଇଁ ମହିଳା ଜଣଙ୍କୁ ଗୟା ସହରର ଆନନ୍ଦୀ ମାଇ ମୋଡ଼ ପାଖର ଏକ ଘରୋଇ କ୍ଲିନିକରେ ଭର୍ତ୍ତି କରାଯାଇଥିଲା। ଜୁଲାଇ ୨୯ ତାରିଖ ଦିନ ଡାକ୍ତର ତାଙ୍କର ଅପରେସନ କରାଇଥିଲେ କିନ୍ତୁ ଅପରେସନ ପରେ ମହିଳାଙ୍କ ପେଟରେ ଲଗାତର ଭାବରେ ଯନ୍ତ୍ରଣା ହେବା ଆରମ୍ଭ ହୋଇଯାଇଥିଲା।
ଡାକ୍ତରଙ୍କ ମୁତାବକ ରୋଗୀର ଅବସ୍ଥା ଶୋଚନୀୟ ଥିଲା ଏବଂ ତାଙ୍କୁ ଲଗାତର ରକ୍ତ ଦେବାର ଆବଶ୍ୟକତା ପଡୁଥିଲା। ସେହିପରି ରୋଗୀର ପରିବାର ଲୋକ ମହିଳାଙ୍କ ପେଟରେ ତଉଲିଆ ଛାଡି ଦେଇଥିବା ଡାକ୍ତର ଜଣଙ୍କ ବିରୋଧରେ ବର୍ତ୍ତମାନ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରସ୍ତୁତି କରୁଛନ୍ତି।