ଓଡିଆ ଚଳଚ୍ଚିତ୍ର ଜଗତ ପାଇଁ ଆଉ ଏକ ଦୁଃଖଦ ଖବର। ବରିଷ୍ଠ ଚଳଚିତ୍ର ଅଭିନେତା ତଥା ନିର୍ଦ୍ଦେଶକ ଅଜିତ ଦାସ ବର୍ତ୍ତମାନ ପରଲୋକରେ। ରବିବାର ଅପରାହ୍ନରେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଚିକିତ୍ସାଳୟରେ ତାଙ୍କର ମୃତ୍ୟୁ ହୋଇଛି। ଶେଷ ନିଶ୍ୱାସ ତ୍ୟାଗ କରିବା ବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା। ଅଜିତ ଦାସଙ୍କ ମୃତ୍ୟୁର ଖବର ବିଷୟରେ ନିଜେ ତାଙ୍କ ପତ୍ନୀ ମାୟା ଦାସ ସୂଚନା ଦେଇଛନ୍ତି। କିଛି ଦିନ ତଳେ ଅଜିତ ଦାସ କରୋନା ସଂକ୍ରମିତ ହୋଇଥିବାର ଜଣାପଡ଼ିଥିଲା।
ସେ କରୋନା ସହ ଅନ୍ୟ ରୋଗରେ ମଧ୍ୟ ଆକ୍ରାନ୍ତ ଥିଲେ। ତାଙ୍କ ମୃତ୍ୟୁର ଖବର ପ୍ରସାରିତ ହେବାପରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳି ଯାଇଛି। ଦୁଇମାସ ତଳେ ଓଡ଼ିଆ ଫିଲ୍ମ ଜଗତର ମହାନ ଅଭିନେତା ଦେହାନ୍ତ ହୋଇଥିବା ବେଳେ ବର୍ତ୍ତମାନ ଅଜିତ ଦାସଙ୍କ ପରଲୋକ ଖବର ଚଳଚ୍ଚିତ୍ର ଜଗତକୁ ଏକ ଶକ୍ତ ଝଟକା ପ୍ରଦାନ କରିଛି।
୨୦ ଜାନୁଆରୀ ୧୯୪୯ ମସିହା ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆରେ ଜନ୍ମ ଗ୍ରହଣ କରିଥିଲେ ଅଜିତ ଦାସ। ଅଜିତ ଛୋଟବେଳରୁ ନାଟକ ସହିତ ଜଡିତ ଥିଲେ। ତାଙ୍କ ବଡ଼ବାପା ସୁଧୀର ଚନ୍ଦ୍ର ଦାସ ଜଣେ ନାଟକ ଅଭିନେତା ଥିଲେ ଏବଂ ମୟୂରଭଞ୍ଜରେ ତାଙ୍କର ଏକ ନାଟକ ଦଳ ଥିଲା। ସେଠାରେ ନାଟକ ଦେଖୁ ଦେଖୁ ଅଜିତ ନାଟକ ଅଭିନୟ ପ୍ରତି ଆକର୍ଷିତ ହୋଇଥିଲେ। ସେ ୬୦ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି।
ଅଜିତ ଦାସଙ୍କୁ ୧୯୭୬ ମସିହାରେ ନିର୍ମିତ ‘ସିନ୍ଦୂର ବିନ୍ଦୁ’ କଥାଚିତ୍ରରେ ଖଳନାୟକ ଭୂମିକାରେ ପ୍ରଥମ ସୁଯୋଗ ଦେଇଥିଲେ ଧୀର ବିଶ୍ୱାଳ। ସିନ୍ଦୁର ବିନ୍ଦୁ ଚଳଚ୍ଚିତ୍ରରୁ ହିଁ ସେ ନିଜର ଫିଲ୍ମ ଯାତ୍ରା ଆରମ୍ଭ କରିଥିଲେ। ଏହାପରେ ସେ ନାୟକ ଓ ଚରିତ୍ର ଭୂମିକାରେ ବହୁ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ତାଙ୍କ ଅଭିନୀତ ହାକିମବାବୁ ଚଳଚ୍ଚିତ୍ରକୁ ମିଳିଥିଲା ଜାତୀୟ ପୁରସ୍କାର। ହାକିମ ବାବୁରେ ତାଙ୍କ ଉଚ୍ଚକୋଟିର ଅଭିନୟକୁ ଦେଖି ତାଙ୍କ ପ୍ରଶଂସକ ତାଙ୍କୁ ଓଲିଉଡର ହାକିମ ବାବୁ ଡାକିବା ଆରମ୍ଭ କରିଥିଲେ। ଆଜି ଅଜିତ ଦାଶ ଆମ ଗହଣରେ ନାହାନ୍ତି, ସତ ହେଲେ ତାଙ୍କ କାଳଜୟୀ ଅଭିନୟ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ।
‘କେବେ ତମେ ନାହଁ କେବେ ମୁଁ ନାହିଁ’-୨୦୧୨, ‘କୁଳ ଚନ୍ଦ୍ରମା’-୧୯୭୮, ‘ପୁନର୍ମିଳନ’-୧୯୭୭, ‘ଆହୁତି’-୧୯୭୭, ‘ସନ୍ଧ୍ୟା ତାରା’-୧୯୭୭, ‘ସିନ୍ଦୂର ବିନ୍ଦୁ’-୧୯୭୬ ଆଦିରେ ଅଜିତ ଦାସଙ୍କ ଜୀବନ୍ତ ଅଭିନୟ ଦର୍ଶକଙ୍କ ମନ ଜିତି ନେଇଥିଲା। ମୁଖ୍ୟମନ୍ତ୍ରୀ, ହାକିମବାବୁ, ଲୁଚକାଳି, ତୁଣ୍ଡବାଇଦ, ମାଆ, ସୁନା ଚଢ଼େଇ ଆଦି ଫିଲ୍ମରେ ମଧ୍ୟ ତାଙ୍କ ଅଭିନୟ ବେଶ ପ୍ରଶଂସନୀୟ ଥିଲା। ତାଙ୍କ ମୃତ୍ୟୁ ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଏକ ଶୂନ୍ୟସ୍ଥାନ ସୃଷ୍ଟି କରିଛି।
ଅଜିତ ଦାସ ଜଣେ ଓଡ଼ିଆ ନାଟ୍ୟକାର, ମଞ୍ଚ ଅଭିନେତା, ନିର୍ଦ୍ଦେଶକ ଏବଂ ନାଟ୍ୟଗୁରୁ ଭାବେ ବେଶ ଜଣାଶୁଣା। ସେ ମଞ୍ଚ ଅଭିନୟ ଶିକ୍ଷାନୁଷ୍ଠାନ ‘ଅଭିନୟ ଜାଗୃତି ଇନଷ୍ଟିଚ୍ୟୁଟ ଅଫ ଥିଏଟରର’ ପ୍ରତିଷ୍ଠା କରି ଯୁବ ଅଭିନେତା ଓ ଅଭିନେତ୍ରୀଙ୍କୁ ପ୍ରଶିକ୍ଷଣ ଦେଉଥିଲେ। ତାଙ୍କ ପରଲୋକରେ ବହୁ ଚଳଚ୍ଚିତ୍ର ଅଭିନେତା, ଅଭିନେତ୍ରୀ, ପ୍ରଯୋଜକ, ନିର୍ଦେଶକ ତଥା ବିଭିନ୍ନ ବ୍ୟକ୍ତି ବିଶେଷ ଗଭୀର ଶୋକ ପ୍ରକାଶ କରିଛନ୍ତି।