ଆମେରିକାର ଫ୍ଲୋରିଡା ଠାରେ ଗୋଟିଏ ଦିନ ମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା ରେକର୍ଡ ଭାଙ୍ଗିବା ପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO)ର ମୁଖ୍ୟ ଟେଡ୍ରୋସ୍ ଏଡ଼ହେନମ ଗେବ୍ରୟେସସ୍ ଚେତାବନୀ ଦେଇ କହିଛନ୍ତି ଯେ କୋଭିଡ-19 ମହାମାରୀ ଦ୍ୱାରା ସୃଷ୍ଟି ହୋଇଥିବା ସ୍ଥିତି ଆହୁରି ଭୟଙ୍କର ରୂପ ନେବାକୁ ଯାଉଛି।
ସେ କହିଛନ୍ତି ଯେ କିଛି ଦିନ ପର୍ଯ୍ୟନ୍ତ ମାନବ ଜୀବନ ପୂର୍ବ ଭଳି ସ୍ୱାଭାବିକ ହୋଇ ପାରିବ ନାହିଁ। ଗେବ୍ରୟେସସ୍ ସମୋବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ” ନିକଟ ଭବିଷ୍ୟତରେ ସ୍ୱାଭାବିକ ଜୀବନଯାପନ ସମ୍ଭବ ହେବ ନାହିଁ”।
WHOର ମହାନିର୍ଦ୍ଦେଶକ କହିଛନ୍ତି ଯେ ଅନେକ ଦେଶ ଏହି ମହାମାରୀକୁ ନିୟନ୍ତ୍ରଣ କରି ନେଇଛନ୍ତି ଏବଂ ଆହୁରି ଅନେକ ଦେଶ ଏହାକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି। ମାତ୍ର ୟୁରୋପ ଏବଂ ଏସିଆର ଅନେକ ଦେଶ କରୋନା ସମ୍ବନ୍ଧିତ ଭୁଲ ଦିଗକୁ ଯାଉଛନ୍ତି। ଏହି ଦୁଇ ମହାଦେଶରେ ଦିନକୁ ଦିନ ପରିସ୍ଥିତି ଭୟଙ୍କର ହେବାରେ ଲାଗିଛି।
ସେ ବିଶ୍ୱର କିଛି ନେତାମାନଙ୍କ ନାମ ଉଲ୍ଲେଖ ନକରି କହିଲେ ଯେ କିଛି ଲୋକ ଏହାକୁ ଗମ୍ଭୀରତାର ସହିତ ନେଉ ନାହାନ୍ତି। କିନ୍ତୁ ସେମାନେ ଜାଣିପାରୁ ନାହାନ୍ତି ଯେ ଏହି ମହାମାରୀ ଦିନକୁ ଦିନ କେତେ ବିପଜ୍ଜନକ ଦିଗକୁ ଗତି କରୁଛି। ବିଶେଷ କରି ଆମେରିକାର ଦକ୍ଷିଣ ଏବଂ ପଶ୍ଚିମରେ ମୃତକଙ୍କ ସଂଖ୍ୟା କ୍ରମାଗତ ବୃଦ୍ଧି ପାଇବାରେ ଲାଗିଛି।
ସେ ଆହୁରି କହିଛନ୍ତି ଯେ ଆମେ ଭାବୁଛୁ ଯେ ଆମେ ଏହାକୁ ନିୟନ୍ତ୍ରଣ କରିପାରିବା, କିନ୍ତୁ ଏଥିପାଇଁ ଆମକୁ ବହୁତ ସଚେତନତା ଅବଲମ୍ବନ କରିବାକୁ ହେବା ଏଥିସହିତ ସାମାଜିକ ଦୂରତାର ନୀୟମକୁ ପାଳନ କରିବାକୁ ପଡ଼ିବ |
ଏଥି ମଧ୍ୟରେ WHOର ଦୁଇ ଜଣ ବିଶେଷଜ୍ଞ କରୋନା ମହାମାରୀର ଉତ୍ପତ୍ତି ବିଷୟରେ ଜାଣିବା ପାଇଁ ଚୀନ ଗସ୍ତରେ ଯାଇଛନ୍ତି। ଏହି ଭୂତାଣୁ କେନ୍ଦ୍ରୀୟ ଚୀନର ୱୁହାନ ସହରରେ ପ୍ରଥମ ଥର ପାଇଁ ଚିହ୍ନଟ କରାଯାଇଥିଲା। ବେଜିଂ ଏହି ତଦନ୍ତ ପାଇଁ ଅନୁମତି ଦେବାକୁ ପ୍ରସ୍ତୁତ ନଥିଲା ମାତ୍ର WHO ଦ୍ୱାରା ଡ଼କାଯାଇଥିବା ସମ୍ମିଳନୀରେ ସବୁ ଦେଶଙ୍କ ବିରୋଧ ପରେ ବେଜିଂ ଏଥିପାଇଁ ରାଜି ହୋଇଯାଇଥିଲା। ବର୍ତ୍ତମାନ ତଦନ୍ତ ପରେ ହିଁ ସତ୍ୟ ଜଣାପଡିବ।