ନେପାଳ ସୁପ୍ରିମକୋର୍ଟ ପ୍ରଧାନମନ୍ତ୍ରୀ କେ ପି ଶର୍ମା ଓଲିଙ୍କ ଉପରେ “କାରଣ ଦର୍ଶାନ୍ତୁ ନୋଟିସ” ଜାରି କରିଛନ୍ତି। ଏଥିସହିତ ନେପାଳ ସୁପ୍ରିମକୋର୍ଟ ପ୍ରଶ୍ନ କରିଛି ଯେ ଭାରତରେ କାମ କରୁଥିବା ନେପାଳ ଶ୍ରମିକମାନେ ଭାରତ ପାଇଁ ବିଦେଶୀ ନୁହନ୍ତି କି? ଯଦି ହଁ, ତେବେ କାହିଁକି ଭାରତରେ କାର୍ଯ୍ୟରତ ଏହି ନେପାଳିମାନଙ୍କୁ ବିଦେଶୀ ନିଯୁକ୍ତି ବର୍ଗରେ ରଖାଯାଉ ନାହିଁ। କାହିଁକି ଏମାନଙ୍କୁ ଅନ୍ୟଦେଶ ମାନଙ୍କରେ କାମ କରୁଥିବା ନେପାଳ ନାଗରିକଙ୍କ ଠାରୁ ଭିନ୍ନ ବିବେଚିତ କରାଯାଉଛି।
ବାସ୍ତବରେ ନେପାଳ ସୁପ୍ରିମକୋର୍ଟରେ ଏକ ଲିଖିତ ଆବେଦନ ଉପରେ ବିଚାର ବିମର୍ଷ ଚାଲିଛି। ନେସନ ବିଲଡିଂ ଫୋରମ ତରଫରୁ ନିର୍ମଳ କୁମାର ଉପ୍ରେତି ଏବଂ ଦୀପକ ରାଜ ଯୋଶୀ ଭାରତରେ କାର୍ଯ୍ୟ କରୁଥିବା ନେପାଳୀଙ୍କ ସ୍ଥିତିକୁ ନେଇ ଏକ ପିଟିସନ ଦାଖଲ କରିଛନ୍ତି।
ନେପାଳର ଏକ ଖବରକାଗଜରେ ଉପ୍ରେତି କହିଛନ୍ତି ଯେ ” ବୈଦେଶିକ ନିଯୁକ୍ତି ଆଇନ, ୨୦୦୭ ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇଛି ଯେ କୌଣସି ବି ବାହାର ଦେଶରେ କାର୍ଯ୍ୟ କରୁଥିବା ନେପାଳର ନାଗରିକମାନଙ୍କୁ ପ୍ରବାସୀ ଶ୍ରମିକ ଭାବରେ ଗ୍ରହଣ କରାଯିବ। ମାତ୍ର ଭାରତରେ କାମ କରୁଥିବା ନେପାଳୀ ଶ୍ରମୀକମାନଙ୍କୁ ଆଜି ପର୍ଯ୍ୟନ୍ତ ବିଦେଶୀ ନିଯୁକ୍ତି ବର୍ଗରେ ରଖାଯାଇ ନାହିଁ। ସରକାର ଭାରତରେ କାର୍ଯ୍ୟରତ ଏହି ନାଗରିକମାନଙ୍କର କୌଣସି ରେକର୍ଡ ରଖିନାହିଁ।”
ଏକ ରିପୋର୍ଟ ଅନୁଯାୟୀ ଭାରତରେ ୩୦ ରୁ ୪୦ ଲକ୍ଷ ପର୍ଯ୍ୟନ୍ତ ନେପାଳୀ କାର୍ଯ୍ୟ କରୁଛନ୍ତି। ଆବେଦନକାରୀମାନେ କହିଛନ୍ତି ଯେ ବିଦେଶରେ କାମ କରୁଥିବା ନେପାଳର ନାଗରିକମାନଙ୍କ ମଧ୍ୟରେ ସବୁଠୁ ଅଧିକ ଲୋକ ଭାରତରେ କାର୍ଯ୍ୟ କରୁଛନ୍ତି। ଦୁଇ ଦେଶର ସୀମା ପରସ୍ପର ପାଇଁ ଖୋଲା ଥିବାରୁ ଭାରତରେ ହିଁ ଅଧିକ ନେପାଳୀ କାର୍ଯ୍ୟରତ ଅଛନ୍ତି। ଭାରତ ଛଡ଼ା ଅନ୍ୟଦେଶ ମାନଙ୍କରେ କାର୍ଯ୍ୟ କରିବାକୁ ହେଲେ ନେପାଳୀ ମାନଙ୍କୁ ଶ୍ରମ ଅନୁମତି ପାଇଁ ଆବେଦନ କରିବାକୁ ପଡୁଥିବା ବେଳେ ଭାରତରେ କାମ କରିବାକୁ ଏପରି କୌଣସି ଅନୁମତିର ଆବଶ୍ୟକତା ନାହିଁ। ଏହି କାରଣରୁ ସେମାନେ ବୀମା ଗୁଡ଼ିକର ସୁବିଧା ପାଇବାକୁ ସକ୍ଷମ ହୋଇ ନଥାନ୍ତି।
ନେପାଳବାସୀ ମାନଙ୍କୁ ବିଦେଶ ଯିବା ପୂର୍ବରୁ ଶ୍ରମିକଙ୍କୁ ପ୍ରବାସୀ ଶ୍ରମିକ କଲ୍ୟାଣ ପାଣ୍ଠିରୁ ବୀମା କିଣିବାକୁ ପଡେ। ଏହି ବୀମାର ନିୟମ ମୁତାବକ ଯଦି ବିଦେଶରେ ସେମାନେ ମୃତ୍ୟୁବରଣ କରନ୍ତି, ଆହତ ହୁଅନ୍ତି କିମ୍ବା ଗୁରୁତର ଭାବରେ ଅସୁସ୍ଥ ହୁଅନ୍ତି ତେବେ ସେମାନଙ୍କୁ ନେପାଳ ସରକାରଙ୍କଠାରୁ ଆର୍ଥିକ ସହାୟତା ମିଳିଥାଏ, କିନ୍ତୁ ଭାରତ କ୍ଷେତ୍ରରେ ଏପରି କୌଣସି ନିୟମ ଲାଗୁ ହୁଏ ନାହିଁ।
ନେପାଳୀମାନେ ପ୍ରାୟ ଦୁଇ ଶତାବ୍ଦୀ ଧରି ଭାରତରେ କାର୍ଯ୍ୟ କରିଆସୁଛନ୍ତି। ୧୮୧୫ ମସିହାରେ, ଇଷ୍ଟଇଣ୍ଡିଆ କମ୍ପାନୀ ନେପାଳୀମାନଙ୍କୁ ଗୋରଖା ସେନାରେ ଭର୍ତ୍ତି କରିଥିଲେ। ଅଜି ମଧ୍ୟ ଭାରତୀୟ ସେନାରେ ଗୋରଖାମାନେ କାର୍ଯ୍ୟରତ ଅଛନ୍ତି। 1950 ମସିହାରେ ନେପାଳ ଏବଂ ଭାରତ ଶାନ୍ତି ଏବଂ ବନ୍ଧୁତ୍ୱ ଚୁକ୍ତିନାମାରେ ସ୍ୱାକ୍ଷର କରିଥିଲେ। ଯେଉଁ ଚୁକ୍ତି ମୁତାବକ ନେପାଳ ଏବଂ ଭାରତର ଲୋକମାନେ ପରସ୍ପରର ସୀମାରେ ସ୍ୱାଧୀନ ଭାବରେ ଯିବା ଆସିବା କରିବାର ସ୍ୱୀକୃତି ପାଇଛନ୍ତି। ଏହି କାରଣରୁ ନେପାଳୀମାନଙ୍କୁ ଭାରତରେ ନିଯୁକ୍ତି ପାଇବାରେ ସହଜ ହୋଇଥାଏ।
ଗତ ବର୍ଷରେ ନେପାଳ, ଭାରତ ଠାରୁ ୧୨୮.୫ ଆରବ ଟଙ୍କା ପାରିଶ୍ରମିକ ଭାବରେ ଗ୍ରହଣ କରିଛି ଯାହା ଅନ୍ୟ ଦେଶରୁ ହୋଇଥିବା ଆୟ ଠାରୁ ଯଥେଷ୍ଟ ଅଧିକ।
ତେବେ ଶାନ୍ତି ଚୁକ୍ତି ଅନୁଯାୟୀ ଉଭୟ ଦେଶର ଲୋକଙ୍କୁ ବିନା ପାସପୋର୍ଟରେ ପରସ୍ପରର ସୀମା ଅତିକ୍ରମ କରିବାର ଅନୁମତି ଦିଆଯାଇଛି ବୋଲି ଆବେଦନକାରୀ ଉପ୍ରେତି କହିଛନ୍ତି। ମାତ୍ର ଭାରତରେ କାମ କରିବାକୁ ଯାଉଥିବା ନାଗରିକମାନଙ୍କୁ ବିଦେଶୀ ନିଯୁକ୍ତି ଅଧୀନରେ ରଖିବା ଉଚିତ୍ ବୋଲି ସେ ପ୍ରକାଶ କରିଛନ୍ତି। ନେପାଳ ସରକାର ଭାରତରୁ ଆସୁଥିବା ଟଙ୍କାକୁ ବ୍ୟବହାର ତ କରୁଛି ସତ ହେଲେ ଏଠାରେ କାମ କରୁଥିବା ଲୋକଙ୍କୁ ପ୍ରବାସୀ ଶ୍ରମିକ ଭାବରେ ବିବେଚନା କରୁନାହିଁ। ଦୁଃଖର ବିଷୟ ଯେ ଭାରତର ନେପାଳ ଦୂତାବାସରେ ଗୋଟିଏ ହେଲେ ଲେବର ଡିପାର୍ଟମେଣ୍ଟ ନାହିଁ।