କେ କେ ସିଂଙ୍କ FIR ପରେ କେଉଁ ଆଇନଗତ ରାସ୍ତା ଆପଣେଇବେ ରିୟା ଚକ୍ରବର୍ତ୍ତୀ?

କେ କେ ସିଂଙ୍କ ଅରୋପ ମୁତାବକ ରିୟା ତାଙ୍କ ପୁଅ ସୁଶାନ୍ତଙ୍କ ଠାରୁ ମୋଟା ଅଙ୍କର ଟଙ୍କା ହଡ଼ପ କରିବା ସହିତ ସୁଶାନ୍ତଙ୍କୁ ଆତ୍ମହତ୍ୟା କରିବା ପାଇଁ ଉତ୍ସାହିତ କରିଛନ୍ତି। ଏନେଇ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ଏକ FIR ଫାଇଲ କରିଛନ୍ତି ସୁଶାନ୍ତ ସିଂ ରାଜପୁତଙ୍କ ପିତା କେ କେ ସିଂ। ତେବେ ଦେଖିବାକୁ ବାକି ଏହି FIR ଫାଇଲ କରିବା ପରେ କେଉଁ ରାସ୍ତା ଆପଣେଇବେ ରିୟା ଚକ୍ରବର୍ତ୍ତୀ।

ମଙ୍ଗଳବାର ଦିନ ସନ୍ଧ୍ୟାରେ ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲା ଏକ ନୂତନ ମୋଡ଼ ନେଇଛି। ଅଭିନେତା ସୁଶାନ୍ତଙ୍କ ମୃତ୍ୟୁକୁ ଏକ ମାସରୁ ଅଧିକ ସମୟ ବିତିଯିବା ପରେ , ସୁଶାନ୍ତଙ୍କ ପିତା ବିହାରରେ ଅଭିନେତ୍ରୀ ରିୟାଙ୍କ ବିରୋଧରେ ଏକ FIR ଫାଇଲ କରିଛନ୍ତି। କେ କେ ସିଂ ରିୟାଙ୍କ ଉପରେ ଅନେକ ସଙ୍ଗିନ ଅରୋପ ଲଗାଇଛନ୍ତି। ଯାହାଦ୍ୱାରା କେସର ମୋଡ଼ ସମ୍ପୂର୍ଣ୍ଣ ଭାବରେ ବଦଳି ଯାଇଛି।

ସୁଶାନ୍ତଙ୍କ ପିତା ଆରୋପ ଲଗାଇ କହିଛନ୍ତି ଯେ ରିୟା ଚକ୍ରବର୍ତ୍ତୀ, ସୁଶାନ୍ତଙ୍କୁ ଆତ୍ମହତ୍ୟା କରିବା ପାଇଁ ଉତ୍ସାହିତ କରିଥିଲେ। ସୁଶାନ୍ତଙ୍କ ଠାରୁ ମୋଟା ଅଙ୍କର ଟଙ୍କା ହଡ଼ପ କରବା ସହିତ ତାଙ୍କୁ ମାନସିକ ସ୍ତରରେ ପ୍ରତାଡୀତ କରିଥିଲେ ରିୟା। ସୁଶାନ୍ତ ଅନେକ ସମୟରୁ ତାଙ୍କ ପରିବାର ଠାରୁ ଦୂରେଇ ରହୁଥିଲେ କାରଣ ରିୟା ତାଙ୍କୁ ପରିବାର ସହିତ ସମ୍ପର୍କ ରଖିବାକୁ ଦେଉ ନଥିଲେ। କେ କେ ସିଂ ଏହା ଆରୋପ ଆଣିଥିଲେ ଯେ ସୁଶାନ୍ତଙ୍କ ମୋବାଇଲ ନମ୍ବର ମଧ୍ୟ ବଦଳାଇ ଦେବାକୁ ବାଧ୍ୟ କରୁଥିଲେ ରିୟା। ରିୟା ଚାହୁଁନଥିଲେ ସୁଶାନ୍ତ ତାଙ୍କ କୌଣସି ନିଜ ଲୋକଙ୍କ ସହିତ ସମ୍ପର୍କରେ ରୁହନ୍ତୁ। ଏମିତିକି ସୁଶାନ୍ତଙ୍କ ନିକଟବର୍ତ୍ତୀ କର୍ମଚାରୀ ମାନଙ୍କୁ ମଧ୍ୟ ବଦଳାଇ ଦେଇଥିଲେ ରିୟା। ଯେଉଁମାନେ ସୁଶାନ୍ତଙ୍କ ପାଇଁ ବହୁ ଆଗରୁ କାମ କରି ଆସୁଥିଲେ।

ଏହାଛଡା ସୁଶାନ୍ତଙ୍କୁ ବ୍ଲାକମେଲ ମଧ୍ୟ କରି ଆସୁଥିଲେ ରିୟା। ରିୟା କହିଥିଲେ ଯେ, ଯଦି ମୋ କଥା ନମାନିବ ତେବେ ମୁଁ ମିଡିଆରେ ତୁମ ମେଡ଼ିକାଲ ରିପୋର୍ଟ ଦେଖାଇ ଦେବି ଏବଂ ସମସ୍ତଙ୍କୁ କହିଦେବି ତୁମେ ପାଗଳ ହୋଇଯାଇଛ। ତେବେ ବର୍ତ୍ତମାନ ଏହି ମାମଲାକୁ ନେଇ ବିହାରରୁ ଏକ ପୋଲିସ ଟିମ ତଦନ୍ତ ପାଇଁ ମୁମ୍ବାଇ ପହଞ୍ଚି ଯାଇଛି। ପାଟଣା ଏସଏସପିଙ୍କ ଆଦେଶରେ ରାଜୀବ ନଗର ଥାନା ଅଧିକାରୀଙ୍କୁ ଏହି କେସର ଆଇଓ କରାଯାଇଛି। ଏହି ଟିମରେ ଦୁଇ ଜଣ ଇନ୍ସପେକ୍ଟର ଏବଂ ଆଉ ଦୁଇ ଜଣ ସବ ଇନ୍ସପେକ୍ଟର ରହିଛନ୍ତି।

ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ, ରିୟା ଚକ୍ରବର୍ତ୍ତୀ ବର୍ତ୍ତମାନ କେଉଁ ରାସ୍ତା ଆପଣେଇବେ। କୁହାଯାଉଛି ଯେ, ଏବେ ରିୟା ଚକ୍ରବର୍ତ୍ତୀଙ୍କ ଓକିଲ ଦୁଇଟି ଆଇନଗତ ରାସ୍ତା ଉପରେ ବିଚାର କରି ପାରନ୍ତି। ପ୍ରଥମଟି, ରିୟା କୋର୍ଟ ଯାଇ ଅଗ୍ରୀମ ଜାମିନ ପାଇଁ ଅପିଲ କରି ପାରନ୍ତି। ଦ୍ଵିତୀୟଟି, ରିୟାଙ୍କ ଓକିଲ ଦଲିଲ କରି ପାରିବେ ଯେ ଗୋଟିଏ କେସରେ ଦୁଇଟି FIR ଫାଇଲ କରାଯାଇ ପାରିବ ନାହିଁ, ସେଥିପାଇଁ ବିହାରରେ ଫାଇଲ କରାଯାଇଥିବା FIRକୁ ଖାରଜ କରିବା ପାଇଁ ଦାବି କରି ପାରନ୍ତି। ମଙ୍ଗଳବାର ଦିନ ଏହି ମାମଲାରେ ରିୟାଙ୍କ ଓକିଲ ଆନନ୍ଦିନୀ ଫର୍ଣ୍ଣାଣ୍ଡିସ ରିୟାଙ୍କ ଘରେ ପ୍ରାୟ ୬ ଘଣ୍ଟା ରହି କଥାବାର୍ତ୍ତା କରିଥିଲେ। କୁହାଯାଉଛି ଯେ ସେହି ମିଟିଙ୍ଗ ପରେ ଏପରି ଆଇନଗତ ରାସ୍ତା ଉପରେ ବିଚାର କରାଯାଉଛି।

କିଛି ଦିନ ପୂର୍ବରୁ ମୁଜଫରପୁର ସ୍ଥିତ ପଟାହୀର ବସିନ୍ଧା କୁଂଦଲ କୁମାର ରିୟାଙ୍କ ଉପରେ ଆରୋପ ଲଗାଇଥିଲେ ଯେ, ସେ ସୁଶାନ୍ତଙ୍କୁ ଆତ୍ମହତ୍ୟା କରିବା ପାଇଁ ଉତ୍ସାହିତ କରିଥିଲେ। କୁଂଦଲ କୁମାରଙ୍କ ହିସାବରେ ରିୟା ଚକ୍ରବର୍ତ୍ତୀ, ସୁଶାନ୍ତଙ୍କୁ ଭରପୂର ଉପଯୋଗ କରିଥିଲେ। ତାଙ୍କ କହିବା ମୁତାବକ, ସୁଶାନ୍ତଙ୍କୁ ମାନସିକ ଏବଂ ଆର୍ଥିକ କ୍ଷେତ୍ରରେ ପ୍ରତାଡୀତ କରୁଥିଲେ ରିୟା। ଖାଲି ଏତିକି ନୁହେଁ କୁଂଦଲ କୁମାର କହିଛନ୍ତି ଯେ, ଯେତେବେଳେ ରିୟାଙ୍କ କ୍ୟାରିୟର ସେଟ ହୋଇଗଲା ସେତେବେଳେ ସେ ସୁଶାନ୍ତଙ୍କୁ ଛାଡି ଦେଇଥିଲେ। ତେବେ IPCର ଧାରା ୩୪୧, ୩୪୨, ୩୮୦, ୪୦୬, ୪୨୦, ୩୦୬ ଅନୁଯାୟୀ ରିୟାଙ୍କ ବିରୋଧରେ ମାମଲା ରୁଜ୍ଜୁ କରାଯାଇଛି।

Leave a Reply

Your email address will not be published. Required fields are marked *