ବରିଷ୍ଠ ଯାତ୍ରା କଳାକାର ମହେନ୍ଦ୍ର ଦାସ ଓରଫ ଭିକୁ ସେଠ ବର୍ତ୍ତମାନ ଆର ପାରିରେ। ଭିକୁ ସେଠ ନାମରେ ସେ ଯଲିଓଡ ଦୁନିଆରେ ବେଶ ପରିଚିତ। ଯଲିଉଡର ଏହି ଚର୍ଚ୍ଚିତ କଳାକାର ପ୍ରାୟ ୩୦ ବର୍ଷ ଧରି ଯାତ୍ରା ମଞ୍ଚରେ ରାଜ କରିଛନ୍ତି। ଗତକାଲି କଟକ ଚୌଦ୍ୱାରରେ ହୃଦଘାତରେ ଆଖି ବୁଜିଛନ୍ତି ଏହି ବରିଷ୍ଠ ପ୍ରଖ୍ୟାତ ଯାତ୍ରା ଅଭିନେତା। ସୂଚନା ଅନୁସାରେ ଗତକାଲି ରାତିରେ ନଇଁ ଚୌଦ୍ୱାର ସ୍ଥିତ ବାସଭବନରେ ତାଙ୍କ ଛାତିରେ ଭୀଷଣ ଯନ୍ତ୍ରଣା ହୋଇଥିଲା ଏବଂ କଟକ ହସ୍ପିଟାଲ ନେବା ବାଟରେ ତାଙ୍କ ମୃତ୍ୟୁ ହୋଇଯାଇଥିଲା। ମୃତ୍ୟୁ ବେଳକୁ ମହେନ୍ଦ୍ରଙ୍କ ବୟସ ୫୫ ବର୍ଷ ହୋଇଥିଲା।
ମହେନ୍ଦ୍ରଙ୍କ ମୃତ୍ୟୁ ସମ୍ପର୍କରେ ତାଙ୍କର ଜଣେ ସମ୍ପର୍କୀୟ ସୂଚନା ଦେଇଛନ୍ତି। ତେବେ ପ୍ରାଥମିକ ସୂଚନା ମୁତାବକ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଛି। ହୃଦଘାତ ପରେ ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନାକୁ ନିଆଯାଇଥିଲା। ମାତ୍ର ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ତାଙ୍କ ସମ୍ପର୍କୀୟ ସୂଚନା ଦେଇଛନ୍ତି। ତାଙ୍କର ମୃତ୍ୟୁ ପରେ ଯାତ୍ରା ଜଗତରେ ଶୋକର ଛାୟା ଖେଳିଯାଇଛି।
ମହେନ୍ଦ୍ର ଦାସ ଖଳନାୟକ ଚରିତ୍ରରେ ମଞ୍ଚକୁ ଆସିବା ମାତ୍ରେ ଦର୍ଶକଙ୍କ ତାଳିରେ ଫାଟି ପଡୁଥିଲା ପୁରା ପରିବେଶ। ବହୁ ଲୋକପ୍ରିୟ ଯାତ୍ରା “ଶାଗୁଣା ବସିଛି ଡେଣା ମେଲାଇ”ରୁ ତାଙ୍କୁ ପ୍ରସିଦ୍ଧି ମିଳିଥିଲା। ଏହି ଯାତ୍ରାରେ ଭିକୁସେଠ ଭାବେ ତାଙ୍କ ଚରିତ୍ର ଓ ସଂଳାପ ଆଜିଯାଏଁ ମନେ ରଖିଛନ୍ତି ଦର୍ଶକ। ଏହି ନାଟକର ଖଳନାୟକ ଭୁମିକାକୁ ସେ ବେଶ ନିଖୁଣ ଭାବେ ଉପସ୍ଥାପିତ କରିଥିଲେ। ଯାହା ତାଙ୍କୁ ସାରା ରାଜ୍ୟରେ ବେଶ ପରିଚୟ ଦେଇଥିଲା । ତେବେ ଏହି ନାଟକ ହିଁ ତାଙ୍କ ଯାତ୍ରା କ୍ୟାରିୟର ଟର୍ଣ୍ଣିଂ ପଏଣ୍ଟ ଥିଲା। ଏହି ଯାତ୍ରା ତାଙ୍କ ସମଗ୍ର ରାଜ୍ୟରେ ଏକ ଖଳନାୟକର ପରିଚୟ ଦେଇଥିଲେ। ଏହି ଯାତ୍ରା ପରେ ସେ ଯାତ୍ରା ଜଗତର ସଫଳତମ ତଥା ଆଗଧାଡ଼ିର ଖଳନାୟକ ଭାବେ ପରିଗଣିତ ହୋଇଥିଲେ।
“ଶାଗୁଣ ବସିଛି ଡେଣା ମେଲାଇ”ର ନାଁଟା ତା’ହେଲେ ମୀନା… ଖୁମ୍ପି ଦେଲୁ, ଭଲ କଲୁ… ଧେତ… ଭଳି ସଂଳାପକୁ ଗାମ୍ଭୀର୍ଯ୍ୟପୂର୍ଣ୍ଣ କଣ୍ଠରେ ପରିବେଷଣ କରି ସେ ଦର୍ଶକଙ୍କୁ ବାନ୍ଧି ରଖିପାରିଥିଲେ। ତିନି ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ଧରି ସେ ଯାତ୍ରା ଜଗତ ସହିତ ଜଡ଼ିତ ଥିଲେ। କଳିଙ୍ଗ ଏବଂ ଗୌରୀ ଗଣନାଟ୍ୟରେ ସେ ବହୁଦିନ ଧରି କାମ କରିଥିଲେ। ଗୋଟିଏ ସମୟରେ ତାଙ୍କୁ ନେଇ କଳିଙ୍ଗ ଗଣନାଟ୍ୟ ନିଜର ପରିଚୟ ତିଆରି କରିଥିଲା। ପାର୍ବତୀ ଗଣନାଟ୍ୟ ଓ ଧଉଳି ଗଣନାଟ୍ୟରେ ମଧ୍ୟ ସେ ଅଭିନୟ କରିଛନ୍ତି ।
ଆଉ ଏକ ଉଲ୍ଲେଖନୀୟ ବିଷୟ ହେଉଛି ଯେ ବସନ୍ତ ନାୟକଙ୍କ ପ୍ରଯୋଜିତ ତଥା ହର ପଟ୍ଟନାୟକଙ୍କ ନିର୍ଦେଶିତ ‘ଯଶୋଦା’ରେ ମଧ୍ୟ ମୁଖ୍ୟ ଖଳନାୟକ ଭୂମିକାରେ ଅଭିନୟ କରି ଚର୍ଚ୍ଚାକୁ ଆସିଥିଲେ ମହେନ୍ଦ୍ର ଦାସ। ତେବେ ତାଙ୍କର ମୃତ୍ୟୁରେ ଅନେକ ଯାତ୍ରା ଓ ଓଲିଉଡ କଳାକାର ଶୋକ ପ୍ରକାଶ କରିଛନ୍ତି।