ପ୍ରେମରେ ପ୍ରତାରଣା, ସ୍ତ୍ରୀର ମାନ୍ୟତା ଦାବି କରିବାରୁ ମାଡ଼ ମାରି କେନାଲରେ ଫୋପାଡି ଦେଲେ ପ୍ରେମିକ

ବିବାହର ପ୍ରତିଶୃତି ଦେଇ ଶାରିରୀକ ସମ୍ପର୍କ ରଖିବା ପରେ ଅନ୍ତଃସ୍ୱତ୍ତା ପ୍ରେମିକାଙ୍କର ଗର୍ଭପାତ କରାଇବା ସହିତ ବିବାହ ପାଇଁ ଜିଦ ଧରିବାରୁ ପ୍ରାଣଘାତକ ଆକ୍ରମଣ କରି ପ୍ରେମିକାଙ୍କୁ ଅଚେତ ଅବସ୍ଥାରେ କେନାଲରେ ଫିଙ୍ଗି ଦେଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା କଟକ ଜିଲ୍ଲା ମାହାଙ୍ଗା ଥାନା ଭଦ୍ରେଶ୍ବର ଫାଣ୍ଡି ହଳଦିଆ ପଂଚାୟତ ଅଞ୍ଚଳରୁ ସାମ୍ନାକୁ ଆସିଛି। ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ତାଙ୍କର ଜୀବନ ବଞ୍ଚାଇଛନ୍ତି ସ୍ଥାନୀୟ ବାସିନ୍ଦା।

ଅଭିଯୋଗ ମୁତାବକ, ଇଟାମୁଣ୍ଡଳୀ ଗାଁର ଟୁନ ମଲିକଙ୍କ ପୁଅ ଅଲେଖ ସେହି ପଂଚାୟତର ଲକ୍ଷ୍ମୀନାରାୟଣପୁର ଗ୍ରାମର ଜଣେ ଯୁବତୀଙ୍କୁ ଦୀର୍ଘ ୫ ବର୍ଷ ହେଲା ଭଲ ପାଇ ଆସୁଥିଲେ। କେବଳ ସେତିକି ନୁହେଁ ପ୍ରେମିକାଙ୍କଠାରୁ ଲକ୍ଷାଧିକ ଟଙ୍କା ନେଇଥିବା ଅଭିଯୋଗ ରହିଛି। ପ୍ରେମିକଙ୍କୁ ସନ୍ତୁଷ୍ଟ କରିବାକୁ ଯାଇ ନିଜ ଘରୁ ଟଙ୍କା ଚୋରି କରି ପ୍ରେମିକଙ୍କୁ ଅନେକ ଥର ଟଙ୍କା ଦେଇଛନ୍ତି ପ୍ରେମିକା। ଆଉ ଗତ ଜାନୁଆରୀ ମାସରେ ଯୁବତୀ ଜଣଙ୍କ ସଂପୃକ୍ତ ଯୁବକଙ୍କ ଘରେ ସ୍ତ୍ରୀ ଭଳି ଦେଢ ମାସ ବିତାଇଥିବାର ମଧ୍ୟ ଅଭିଯୋଗ ରହିଛି। ଯୁବକ ଜଣକ ପ୍ରେମିକାଙ୍କ ସହିତ ଶାରିରୀକ ସମ୍ପର୍କ ମଧ୍ୟ ରଖିଥିଲେ। ସଂପୃକ୍ତ ଯୁବକଙ୍କ ବାପା ତାଙ୍କୁ ସେତେବେଳେ କହିଥିଲେ ଯେ ତାଙ୍କର ବଡ଼ ପୁଅର ବିବାହ ହୋଇନାହିଁ, ତେଣୁ ତୁମେ ତୁମ ଘରକୁ ପଳାଅ ପୁଅ ବାହାଘର ପରେ ଏଠାକୁ ଆସିବ ଏବଂ ଆମ ଘରେ ରହିବ। ତେବେ ବଡ଼ ଭାଇର ବିବାହ ହୋଇନଥିବାର ବାହାନା କରି ଘରୁ ବାହାର କରି ଦେଇଥିଲେ।

ପ୍ରେମିକଙ୍କ ବାପାଙ୍କ ଏହି ମନଭୁଲା କଥାରେ ରାଜି ହୋଇ ଯୁବତୀ ନିଜ ଘରକୁ ଫେରି ଯାଇଥିଲେ। ଆଉ ବଡ଼ପୁଅର ବାହାଘର ଗତ ମାର୍ଚ୍ଚ ମାସରେ ହୋଇଗଲା। ଏହି ଖବର ପାଇବା ପରେ ଯୁବତୀ ଜଣଙ୍କ ଗତ ଏପ୍ରିଲ ମାସରେ ପ୍ରେମିକଙ୍କ ଘରକୁ ଆସିଥିଲେ ହେଲେ ମାଡ଼ ଗାଳି ଖାଇ ମାହାଙ୍ଗା ଥାନାର ଦ୍ବାରସ୍ଥ ହୋଇଥିଲେ। ମାତ୍ର ସେଠାରେ ପୋଲିସ ମଧ୍ୟ ତାଙ୍କୁ ନ୍ୟାୟ ନଦେଇ ବୁଝେଇ ସୁଝେଇ ନିଜ ଘରକୁ ବିଦା କରିଦେଇଥିବା ଯୁବତୀ ଜଣକ ଅଭିଯୋଗ ଆଣିଛନ୍ତି। ଏହାପରେ ପୁଣି ଯୁବତୀ ନିଜ ପ୍ରେମିକଙ୍କ ଘରକୁ ଅନେକ ଥର ଆସିଛନ୍ତି ହେଲେ ଘର ଦୁଆର ମୁହଁରୁ ପରିବାରଠାରୁ ମାଡ଼ ଗାଳି ଖାଇ ଫେରି ଯାଇଛନ୍ତି।

ତେବେ ଗୋଟିଏ ଦିନ ପୂର୍ବରୁ ସବୁ ସୀମା ଟପି ଯାଇଥିଲେ ସଂପୃକ୍ତ ଯୁବକଙ୍କ ପରିବାର ଲୋକ। ପ୍ରାୟ ରାତି ୯ଟା ସମୟରେ ଯୁବତୀ ତାଙ୍କ ପ୍ରେମିକଙ୍କ ଘରେ ନ୍ୟାୟ ଆଶାରେ ପ‌ହଞ୍ଚିବା ପରେ ପ୍ରେମିକଙ୍କ ପରିବାର ପକ୍ଷରୁ ଆରମ୍ଭ ହୋଇଗଲା ଅକଥନୀୟ ମାଡ଼। ଆଉ ଯୁବତୀଙ୍କୁ ପରିବାର ଲୋକେ ମାଡ଼ ମାରି ନିକଟରେ ଥିବା ୮ ନମ୍ବର କେନାଲରେ ଫୋପାଡ଼ି ଦେଇ ସମସ୍ତେ ଫେରାର ହୋଇଗଲେ। ଯୁବତୀଙ୍କ ଆର୍ତ୍ତ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ତାଙ୍କୁ ପାଣିରୁ ଉଦ୍ଧାର କରିଥିଲେ। ଏହାପରେ ଯୁବତୀ ନ୍ୟାୟ ପାଇଁ ଓଦା ଲୁଗାରେ କେନାଲ ପୋଲ ଉପରେ ରାତି ତମାମ ବସି ରହିଥିଲେ।

ସୂଚନା ମୁତାବକ ରାତି ସମୟରେ ଖବର ପାଇ ଭଦ୍ରେଶ୍ବର ଫାଣ୍ଡିର ଦୁଇ କନେଷ୍ଟବଳ ଏକ ବାଇକ ଯୋଗେ ଆସି ପୀଡିତାଙ୍କ ନିକଟରେ ପହଞ୍ଚି ଫେରି ଯାଇଥିଲେ ହେଲେ କୈାଣସି ମହିଳା ପୋଲିସକୁ ପୀଡିତଙ୍କ ପାଖରେ ମୁତୟନ କରିନଥିଲେ କିମ୍ବା ଆକ୍ରମଣକାରୀଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରି ନଥିଲେ। ଫଳରେ ପୀଡିତା ଯୁବତୀ ଜଣଙ୍କ ଭଗବାନଙ୍କ ଭରଷାରେ ସାରା ରାତି ପ୍ରେମିକ ଘର ନିକଟରେ ବସିଥିଲେ। ପୀଡ଼ିତାଙ୍କୁ ସୁରକ୍ଷା ଦେବା ବଦଳରେ ଦୋଷୀଙ୍କ ପ୍ରତି କୋହଳ ମନୋଭାବ ପୋଷଣ କରିବା ଘଟଣାକୁ ଗ୍ରାମବାସୀ ନିନ୍ଦା କରିଛନ୍ତି। ଆଜି ଅଭିଯୋଗ ପାଇବା ପରେ ପୁଲିସ ପୀଡ଼ିତା ଯୁବତୀଙ୍କ ଡାକ୍ତରୀ ପରୀକ୍ଷା କରିବା ସହ ଏକ ମାମଲା (କେସ ନଂ-୧୯୬/୨୦) ରୁଜ୍ଜୁ କରି ତଦନ୍ତ ଚଳାଇଛନ୍ତି।

Leave a Reply

Your email address will not be published. Required fields are marked *