ଓଲିଉଡର ସୁପରହିଟ ଯୋଡି ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାଦ ବର୍ତ୍ତମାନ ସୁପ୍ରିମକୋର୍ଟରେ ପହଞ୍ଚିଛି। ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ବର୍ଷା ପ୍ରିୟଦର୍ଶିନୀ। ସ୍ୱାମୀ ଅନୁଭବ ମହାନ୍ତି ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ଦାଖଲ କରିଥିବା ଛାଡପତ୍ର ମାମଲାକୁ କଟକ ସ୍ଥାନାନ୍ତରଣ କରିବା ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି ବର୍ଷା। ତେବେ ଦିଲ୍ଲୀ ଯାଇ ମାମଲା ଲଢିବା ସମ୍ଭବ ନୁହେଁ ବୋଲି ବର୍ଷା ସୁପ୍ରିମକୋର୍ଟରେ କରିଥିବା ଆବେଦନରେ ଦର୍ଶାଇଛନ୍ତି। ଏନେଇ ସୁପ୍ରିମକୋର୍ଟ ଯିବେ ବୋଲି ବର୍ଷାଙ୍କ ଓକିଲ ରାମକୃଷ୍ଣ ରଥ ପୂର୍ବରୁ ସୂଚନା ଦେଇଥିଲେ।
କିଛିଦିନ ପୁର୍ବେ ଘରୋଇ ହିଂସା ଓ ନିର୍ଯାତନାର ଅଭିଯୋଗ ଆଣି କଟକ ଫ୍ୟାମଲି କୋର୍ଟରେ ମାମଲା ରୁଜୁ କରିଥିଲେ ବର୍ଷା। ସେଥିପାଇଁ ଅନୁଭବଙ୍କ ଆବେଦନକୁ କଟକ ଫ୍ୟାମଲି କୋର୍ଟକୁ ସ୍ଥାନାନ୍ତର କରିବା ପାଇଁ ମଧ୍ୟ ବର୍ଷା ନିଜ ଆବେଦନରେ ଲେଖିଛନ୍ତି। ପୂର୍ବରୁ ଅନୁଭବ ମଧ୍ୟ ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ଛାଡ଼ପତ୍ର ପାଇଁ ପିଟିସନ ଦାଖଲ କରିଥିଲେ। ବର୍ତ୍ତମାନ ବର୍ଷାଙ୍କ ପିଟିସନ ଉପରେ ସାଂସଦ ଅନୁଭବ କ୍ୟାଭେଟ ଫାଇଲ କରିଛନ୍ତି। ତାଙ୍କ ପକ୍ଷ ଶୁଣାଣି ନକରି କିଛି ରାୟ ନଦେବା ପାଇଁ ସେ କ୍ୟାଭେଟ ଫାଇଲ କରିଛନ୍ତି।
କିଛି ଦିନ ତଳେ ଏହି ପ୍ରସଙ୍ଗକୁ ନେଇ ଉଭୟ କେନ୍ଦ୍ରାପଡା ସାଂସଦ ତଥା ନାମିଦାମୀ ଓଡ଼ିଆ ଅଭିନେତା ଅନୁଭବ ମହାନ୍ତି ଏବଂ ଚର୍ଚ୍ଚିତ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ସୋସିଆଲ ମିଡିଆରେ ପରସ୍ପରକୁ ଆରୋପ ପ୍ରତ୍ୟାରୋପ କରିଥିଲେ। ଯାହାକୁ ନେଇ ସୋସିଆଲ ମିଡିଆରେ ପତି-ପତ୍ନୀଙ୍କ କଳି ତୀବ୍ର ହୋଇଥିଲା। ସୂଚନାଯୋଗ୍ୟ ଯେ ଓଲିଉଡର ଚର୍ଚ୍ଚିତ ଅଭିନେତା ଅନୁଭବଙ୍କ ବିରୋଧରେ ପାରିବାରିକ ହିଂସା ମାମଲା ନେଇ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ପତ୍ନୀ ବର୍ଷା। ଏନେଇ ବର୍ଷା କଟକ SDJM କୋର୍ଟରେ ମାମଲା ଦାଖଲ କରିଥିଲେ। ପାରିବାରିକ ହିଂସା ବିରୋଧ ଆଇନ ଧାରା-୧୨ ଅନୁଯାୟୀ ମାମଲା ଦାୟର ହୋଇଛି।