କିଶୋର କୁମାରଙ୍କ ପୁଅ କହିଲେ ଇଣ୍ଡିଆନ ଆଇଡଲ୍ର ସତ୍ୟତା , ‘ ମିଥ୍ୟା ପ୍ରଶଂସା କରିବାକୁ ପଡ଼ିଥାଏ, ମତେ ଏସବୁ ପସନ୍ଦ ଆସିଲାନାହିଁ’

ସୋନି ଟିଭିର ରିଆଲିଟି ସୋ ‘ଇଣ୍ଡିଆନ୍ ଆଇଡଲ୍ ୧୨’ର ପ୍ରତି ସପ୍ତାହରେ ଏକ ଖାସ୍ ସୋ ହେଇଥାଏ, ଯେଉଁଥିରେ ସେଲିବ୍ରେଟିଙ୍କୁ ଅତିଥି ଭାବରେ ନିମନ୍ତ୍ରଣ କରାଯାଇଥାଏ । ଏଥର କିଶୋର କୁମାରଙ୍କ ସ୍ୱତନ୍ତ୍ର ଏପିସୋଡରେ ତାଙ୍କ ପୁଅ ଅମିତ କୁମାର ଅତିଥି ହିସାବରେ ଶୋ’ର ଏକ ଅଂଶ ହେବାକୁ ଆସିଥିଲେ। ଏପିସୋଡ୍ ଦେଖିବା ପରେ ୟୁଜର ମାନେ ସୋସିଆଲ ମିଡିଆରେ ଗାୟକ ନେହା କକ୍କର ଏବଂ ହିମେଶ ରେଶମିଆଙ୍କୁ ଟ୍ରୋଲ କରିଥିଲେ ଏବଂ କହିଥିଲେ କିଶୋର କୁମାରଙ୍କ ପରି କିମ୍ବଦନ୍ତୀ ଗାୟକଙ୍କ ଗୀତକୁ ସମସ୍ତେ ଖରାପ ଢ଼ଙ୍ଗରେ ବୋଲିଥିଲେ। ସୋସିଆଲ ମିଡିଆରେ ଏହି ଟ୍ରୋଲ ଦେଖି ନିଜର ଅପୂର୍ବ ଶୈଳୀ ପାଇଁ ଜଣାଶୁଣା ଅମିତ କୁମାର କହିଥିଲେ ଯେ ସେ ଏହି ଏପିସୋଡ୍ ତାଙ୍କୁ ଭଲ ଲାଗିଲା ନାହିଁ ଏବଂ ସୋ ବିଷୟରେ ଆଶ୍ଚର୍ଯ୍ୟଜନକ କଥା କହିଥିଲେ।

ନିକଟରେ ଏକ ସାକ୍ଷାତକାରରେ ଅମିତ କୁମାର କହିଛନ୍ତି, ‘ହଁ ମୁଁ ଜାଣେ ଲୋକମାନେ ଏହି ଏପିସୋଡକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ପ୍ରକୃତ କଥା ହେଉଛି କିଶୋର କୁମାରଙ୍କ ପରି କେହି ଗୀତ ଗାଇ ପାରିବେ ନାହିଁ। ତାଙ୍କର ବ୍ୟକ୍ତିତ୍ୱ ପର୍ବତ ଭଳି ଉଚ୍ଚ । ଆଜିର ଯୁବ ପିଢ଼ି ସେମାନଙ୍କ ବିଷୟରେ କିଛି ଜାଣନ୍ତି ନାହିଁ । ସେମାନେ କେବଳ ରୁପ ତେରା ମସ୍ତାନା ଏବଂ ‘ଆରାଧନା’ ବିଷୟରେ ଜାଣିଛନ୍ତି ।

ଅମିତ କୁମାର ଆହୁରି ମଧ୍ୟ କହିଛନ୍ତି, ‘ମୋତେ ଯେପରି କୁହାଯାଇଥିଲା ମୁଁ ସେପରି କଲି। ମୋତେ ସମସ୍ତଙ୍କୁ ପ୍ରଶଂସା କରିବାକୁ କୁହାଯାଇଥିଲା। ମତେ କୁହା ଯାଇଥିଲା ସେମାନେ ଯେମିତି ବି ଗୀତ ବୋଲାନ୍ତୁ ଏହାକୁ ମତେ ପ୍ରୋତ୍ସାହିତ କରିବାକୁ ହେବ କାରଣ ଏହି ଏପିସୋଡ କିଶୋର କୁମାରଙ୍କ ପାଇଁ ଉତ୍ସରଗୀକୃତ। ମୁଁ ଭାବିଲି ଏହା ମୋ ବାପାଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ହେବ । ଥରେ ମୁଁ ସେଠାକୁ ଗଲାପରେ, ମତେ ଯାହା କୁହା ଗଲା ମୁଁ ତାହା କରିଥିଲି । ମୁଁ ତାଙ୍କୁ ପୂର୍ବରୁ ସ୍କ୍ରିପ୍ଟର କିଛି ଅଂଶ ଦେବାକୁ କହିଲି, କିନ୍ତୁ ଏହିପରି କିଛି ହେଲା ନାହିଁ ।

ଶୋ’କୁ ଯିବାର କାରଣ ପଚରାଯିବାରୁ ଅମିତ କୁମାର କହିଛନ୍ତି, ଦେଖ ସମସ୍ତଙ୍କୁ ଟଙ୍କା ଦରକାର। ମୋ ବାପା ଟଙ୍କାକୁ ନେଇ ବହୁତ ସତର୍କ ଥିଲେ। ସେମାନେ ମୋତେ ସେତିକି ଟଙ୍କା ଦେଇଥିଲେ ଯେତିକି ମୁଁ ଦେବା ପାଇଁ କହିଥିଲି ଏବଂ ମୁଁ ଚାଲିଗଲି, ମୁଁ କାହିଁକି ବା ଛାଡିବି? କିନ୍ତୁ ଏହା ଠିକ ଅଛି । ଶୋ, ଜଜ୍ ଏବଂ ପ୍ରତିଯୋଗୀଙ୍କୁ ମୋର ସମ୍ପୂର୍ଣ୍ଣ ସମ୍ମାନ ଅଛି। ‘

ଜଣେଇ ଦବାକୁ ଚାହୁଁ ଯେ କେବଳ ପ୍ରତିଯୋଗୀ ନୁହଁନ୍ତି, ଗାୟକ ନେହା କକ୍କର ଏବଂ ହିମେଶ ରେଶମିଆ ମଧ୍ୟ କିଶୋରଙ୍କ ଗୀତରେ ଗାଇଥିଲେ। ଯାହା ପରେ ତାଙ୍କୁ ସୋସିଆଲ ମିଡିଆରେ ତୀବ୍ର ସମାଲୋଚନାର ସମ୍ମୁଖୀନ ହେବାକୁ ପଡିଥିଲା। ଏହା ଉପରେ ଅମିତ କୁମାର କୁହନ୍ତି, ‘ହଁ, ମୁଁ ଜାଣେ, ମୁଁ ଆଦୌ ଉପଭୋଗ କରି ନ ଥିଲି। ସତ କହିବାକୁ ଗଲେ, ମୁଁ ଏପିସୋଡକୁ ବନ୍ଦ କରିବାକୁ ଚାହୁଁଥିଲି ।

Leave a Reply

Your email address will not be published. Required fields are marked *