ଉତ୍ତର ଆମେରିକାର ମେକ୍ସିକୋ ସହରର କୁଆଓତେମୋକ ଠାରେ ଏକାସାଥିରେ ଶହ ଶହ ଉଡନ୍ତା ପକ୍ଷୀଙ୍କର ମୃତ୍ୟୁ ଘଟିଛି । ଏହି ଘଟଣାଟି ସିକ୍ୟୁରିଟି କ୍ୟାମେରାରେ କଏଦ୍ ହୋଇଛି । ଏହି ଭିଡ଼ିଓରେ ଅନେକ ଗୁଡ଼ିଏ ଉଡୁଥିବା ପକ୍ଷୀ ଏବଂ ପରେ ହଳଦିଆ ରଙ୍ଗର ମୁଣ୍ଡ ବିଶିଷ୍ଟ ବ୍ଲାକବର୍ଡ ଚଢ଼େଇଙ୍କ ଶହ ଶହ ଶବ ଦେଖିବାକୁ ମିଳେ । ଏହି ଭିଡିଓଟି ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ମେକ୍ସିକୋର ଖବରକାଗଜ ଏଲ୍ ହେରାଲ୍ଡୋ ଡି ଚିହୁଆହୁଆ ଅନୁସାରେ 7 ଫେବୃଆରୀ 2022 ରେ ଅନେକ ସ୍ଥାନୀୟ ଲୋକେ କୁଆଓତେମୋକର ରାସ୍ତାରେ ଅନେକ ହଳଦିଆ ରଙ୍ଗର ମୁଣ୍ଡ ବିଶିଷ୍ଟ ବ୍ଲାକବର୍ଡଙ୍କ ମୃତଦେହ ଦେଖିଥିଲେ ।
ପୋଲିସର ସୂଚନାନୁସାରେ ସିକ୍ୟୁରିଟି କ୍ୟାମେରାରେ ଆଶ୍ଚର୍ଯ୍ୟଜନକ ଘଟଣା କଏଦ ହୋଇଛି । ଏଥିରେ ଉଡ଼ୁଥିବା ପକ୍ଷୀମାନେ ହଠାତ୍ ରାସ୍ତାରେ ପଡ଼ିଯିବାର ଦେଖାଯାଏ । କିନ୍ତୁ କିଛି ପକ୍ଷୀ ପୁଣି ଉଡ଼ି ଯାଇଥିଲେ । ସେମାନଙ୍କ ମୃତଦେହ ରାସ୍ତା ସାରା ପଡ଼ିଥିଲା । ସ୍ଥାନୀୟ ପୋଲିସ କହିବାନୁସାରେ ସେମାନଙ୍କୁ ଆକାଶରୁ ଖସିପଡିଥିବା 100 ରୁ ଅଧିକ ପକ୍ଷୀଙ୍କ ମୃତଦେହ ମିଳିଛି ।
🇲🇽 SHOCKING VIDEO of Hundreds of Birds dying & falling from the Sky in Mexico in the city of Cuauhtémoc, Chihuahua. The images show migratory birds crashing into the ground. The ‘strange occurrence’ was recorded last Monday at around 5pm. pic.twitter.com/zGfmJELtsz
— Moses Ling (@moseslingcanada) February 13, 2022
ସୋସିଆଲ ମିଡିଆରେ ଏହି ଘଟଣା ଉପରେ ସମସ୍ତେ ଭିନ୍ନ ଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଇଛନ୍ତି । କେତେକ ଏଥିପାଇଁ 5G ଟେକ୍ନୋଲୋଜିକୁ ଦାୟୀ କରୁଥିବାବେଳେ କେତେକ ପଶୁ ଚିକିତ୍ସକ କହିଛନ୍ତି ଯେ ଏହି ଘଟଣା ପାଇଁ ବାୟୁ ପ୍ରଦୂଷଣ ଦାୟୀ । ତେବେ କେତେକ ପକ୍ଷୀ ବିଜ୍ଞାନୀଙ୍କ କହିବାନୁସାରେ ଏହି ପକ୍ଷୀମାନଙ୍କ ପଛରେ ନିଶ୍ଚିତ ଭାବରେ ଶିକାରୀ ପକ୍ଷୀଙ୍କ ଏକ ବଡ଼ ଦଳ ପଡ଼ିଥିବେ ଯେଉଁ କାରଣରୁ ଏହି ପକ୍ଷୀମାନେ ତାଙ୍କ ଠାରୁ ରକ୍ଷା ପାଇବା ପାଇଁ ଏଣେତେଣେ ଉଡ଼ୁଥିବେ ।