ବିଜେଡି-ବିଜେପି ମେଣ୍ଟ ହେଲେ କେଉଁ ଦଳକୁ ମିଳିବ ଅଧିକ ଫାଇଦା, କାହାକୁ ସହିବାକୁ ମିଳିବ କ୍ଷତି…।

ଏବେ ମେଣ୍ଟ ମୁହାଁ ବିଜେଡି-ବିଜେପି। ମେଣ୍ଟ ହେଲେ କାହାକୁ ମିଳିବ ଅଧିକ ଫାଇଦା ? ଏକାଠି ଲଢ଼ିଲେ କ୍ଷତି ସହିବ କେଉଁ ଦଳ। ଦଳ ଛାଡି ଆସିଥିବା ନେତାଙ୍କର କ’ଣ ହେବ?

ଦୀର୍ଘ ୧୫ ବର୍ଷ ପରେ ପୁଣି ଥରେ ବିଜେପି-ବିଜେଡି ଏକାଠି ହେବା ନେଇ ଚାଲିଥିବା ଚର୍ଚ୍ଚା ଶୀଘ୍ର ସତ ହେବାକୁ ଯାଉଛି ବୋଲି କୁହାଯାଇପାରେ। ତେବେ ଦୁଇଟି ଦଳ ୧୧ ବର୍ଷ ଧରି ଏକାଠି ରହିବା ଦୁଇ ଦୁଇଥର ମିଳିତ ଭାବେ ସରକାର ଗଠନ କରିବା ଏବଂ ପରେ ଅଲଗା ହୋଇ ପୁଣି ୧୫ ବର୍ଷ ପରେ ମେଣ୍ଟ ଦିଗରେ ଆଗେଇବା ଏ କଥା ପ୍ରମାଣ କରୁଛି ଯେ ରାଜନୀତିରେ କେହି କାହାର ସ୍ଥାୟୀ ମିତ୍ର ନୁହେଁ କି କେହି କାହାର ଶତ୍ରୁ ବି ନୁହେଁ। ପରିସ୍ଥିତି ଓ ପରିବେଶକୁ ଦେଖି ସୁବିଧା ସୁଯୋଗ ଅନୁସାରେ କୋଡ଼ ଲେଉଟାଇବା ହୁଏତ ବୁଦ୍ଧିମାନର କାମ।

ତେବେ ସାମ୍ପ୍ରତିକ ପରିସ୍ଥିତିକୁ ଦେଖିଲେ ଏ କଥା ନିର୍ଦ୍ୱନ୍ଦରେ କୁହାଯାଇପାରେ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଉଛନ୍ତି ଓଡ଼ିଶାର ସର୍ବାଧିକ ଲୋକପ୍ରିୟତାନେତା। ତେବେ ଯଦି ଜାତୀୟ ସ୍ତରରେ ଦେଖାଯାଏ ଏକଥା ମଧ୍ୟ ସ୍ୟୁକର କରିବାକୁ ପଡିବ ଯେ ଦେଶର ସବୁଠାରୁ ଚର୍ଚ୍ଚିତ ନେତା ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଜଣେ ରାଜ୍ୟରେ ଶାସନ କରୁଥିବା ଏକ ଆଞ୍ଚଳିକ ଦଳର ମୁଖିଆ ହୋଇଥିବା ବେଳେ ଆଉ ଜଣେ କେନ୍ଦ୍ରୀୟ ଶାସନରେ ନେତୃତ୍ୱ ନେଉଥିବା ଏକ ଜାତୀୟ ଦଳର ପୋଷ୍ଟର ବୟ। ଯଦି ଚର୍ଚ୍ଚିତ ଓ ପରିଚିତ ଚେହେରା ପରସ୍ପର ଦଳର ବିରୋଧରେ ଲଢ଼ିଲେ ତେବେ ହୁଏତ କାହାର ବିଶେଷ ଲାଭ ହେବାର ନାହିଁ ବରଂ ଏକାଠି ଲଢ଼ିଲେ ଉଭୟଙ୍କର ଫାଇଦା ଅଛି।

ତେବେ ରାଜନୈତିକ ଦୃଷ୍ଟିରେ ଦେଖିଲେ ଫାଇଦା ଦେଖିବାରେ ହୁଏତ ଭୁଲ ବି ନାହିଁ। ବୋଧେ ଏଭଳି କିଛି ଯୁକ୍ତିକୁ ନେଇ ବିଜେଡି ଓ ବିଜେପି ମଧ୍ୟରେ ମେଣ୍ଟ ଭଳି ବଡ଼ ନିଷ୍ପତ୍ତି ନିଆଯାଉଥାଏ ବୋଲି ଚର୍ଚ୍ଚା ହେଉଛି।ତେବେ ବିଜେପି ଓ ବିଜେଡି ଦୁଇଟି ଦଳ। ଜଣେ ରାଜ୍ୟରେ ଶାସନରେ ଥିବା ବେଳେ ଆଉ ଜଣେ ବିରୋଧୀ ଦଳରେ ବସିଛି। ମତ ମତାନ୍ତର ଅନେକ ରହିଛି। ଉଭୟ ଦଳ ବିଧାନ ସଭାରେ ମୁହାଁମୁହିଁ ବି ହୋଇଛନ୍ତି। ଗୃହ ବାହାରେ ବି ବିଭିନ୍ନ ପ୍ରସଙ୍ଗ ନେଇ ବିରୋଧୀ ବିଜେପି ଶାସକ ବିଜେଡି ବିରୋଧରେ ରଣ ଅହଙ୍କାର ଦେଇଛି।

ଏଭଳି ପରିସ୍ଥିତିରେ ମେଣ୍ଟ ପରିକଳ୍ପନା ଯଦି ବାସ୍ତବ ରୂପ ନିଏ ତାହେଲେ ଏଠାରେ ମୁଖ୍ୟତଃ ୩ ଟି ପ୍ରଶ୍ନ ଉଠୁଛି କି ମେଣ୍ଟ ହେଲେ କେଉଁ ଦଳ ଅଧିକ ଲାଭରେ ରହିବ। ଏକାଠି ନିର୍ବାଚନ ଲଢ଼ିଲେ କେଉଁ ଦଳକୁ କ୍ଷତି ସହିବାକୁ ପଡିବ? ଆଉ ତୃତୀୟ ପ୍ରଶ୍ନଟି ହେଲା ଦଳ ଛାଡି ଆସିଥିବା ନେତାଙ୍କର କ’ଣ ହେବ? କାରଣ ବିଜେପି-ବିଜେଡି ରାଜନୈତିକ ପ୍ରତିଦ୍ୱନ୍ଦୀତା ମଧ୍ୟରେ ଅନେକ ନେତା ବିଜେଡି ଛାଡି ବିଜେପିକୁ ଆସିଛନ୍ତି। ସେହିଭଳି ବିଜେପିରେ ଥିବା ଅନେକ ନେତା ମଧ୍ୟ ବିଜେପିକୁ ଛାଡି ବିଜେଡିକୁ ଆସିଛନ୍ତି।

ତେବେ ଏବେ ଯଦି ଦୁଇ ଦଳ ମଧ୍ୟରେ ମେଣ୍ଟ ହୋଇଯାଏ ତ ଏଇ ଦଳ ଡିଆଁ ନେତା ମାନଙ୍କର କ’ଣ ହେବ ତାକୁ ନେଇ ଚର୍ଚ୍ଚା ହେଉଛି। ଯଦି ମେଣ୍ଟର ସମିକରଣ ଦିଗରେ ଏହି ନେତାମାନେ ଖାପଖୁଆଇ ପାରିବେ ନାହିଁ ତେବେ କ’ଣ ହେବ ତାଙ୍କ ଭାଗ୍ୟ ଭବିଷ୍ୟତ। କାରଣ ନିଜ ଦଳରୁ ଟିକଟ ନମିଳିବାର ଆଶଙ୍କା ଏବଂ ଅନ୍ୟ ଦଳରୁ ଟିକଟ ପାଇବାର ଆଶା ଆଉ ସମ୍ଭାବନା ନେଇ କିଛି ନେତା ଦଳ ବଦଳାଇଛନ୍ତି। ହେଲେ ସିଟ ବୁଝାମଣା ଭିତରେ ଅନେକ ଆସନରେ ଉଭୟ ଦଳର କିଛି ଆଶାୟୀ ପ୍ରାର୍ଥୀ ବଳି ପଡିଯିବା ସୁନିଶ୍ଚିତ।

ତେଣୁ ଏହାରି ଭିତରେ ଗୋଟିଏ ଦଳ ଛାଡି ଆଉ ଗୋଟିଏ ଦଳକୁ ଆସିଥିବା ନେତାମାନେ ସମସ୍ୟାରେ ପଡିଯିବେ। ଏହା ସହ ନେତାମାନେ ପାର୍ଟଟାଇମ ପଲିଟିସିଆନ ନୁହଁନ୍ତି ଯେ ରାଜନୈତିକ ଦଳରୁ ଓହରି ଯିବେ।ତେଣୁ ମେଣ୍ଟ ଭିତରେ ଅଣନିଶ୍ୱାସୀ ଅନୁଭବ କଲେ ସେମାନେ ବିକଳ୍ପ ବାଟ ବାଛି ପାରନ୍ତି। ଆଉ ଏଥିପାଇଁ ରହିଥିବା ୩ ଟି ସମ୍ଭାବ୍ୟ ବିକଳ୍ପ ହେଉଛି ଯେ ସେମାନେ ହୁଏତ କଂଗ୍ରେସରେ ସାମିଲ ହୋଇପାରନ୍ତି କିମ୍ବା ସ୍ୱାଧୀନ ପ୍ରାର୍ଥୀ ଭାବେ ମଇଦାନକୁ ଓଲ୍ହାଇ ପାରନ୍ତି। ନଚେତ ବିଦ୍ରୋହୀ ପ୍ରାର୍ଥୀ ଭାବେ ମଧ୍ୟ ଲଢ଼ି ପାରନ୍ତି।

ତେବେ ଉଭୟ ବିଜେପି ଓ ବିଜେଡି ଦଳ ପକ୍ଷରୁ ମେଣ୍ଟ ନେଇ ଏପର୍ଯ୍ୟନ୍ତ ଅପୌଚାରିକ ଘୋଷଣା ହୋଇନଥିବା ବେଳେ ଆଗକୁ କ’ଣ ହେଉଛି ଏବଂ କେଉଁ ଦଳ ଫାଇଦାରେ ରହୁଛି କି କେଉଁ ଦଳ କ୍ଷତି ସହୁଛି ତାହା ସମୟ କହିବ।

Leave a Reply

Your email address will not be published. Required fields are marked *