ଦୁଇ ପରିବାର ଝଗଡ଼ା ମଧ୍ୟରେ ହସ୍ତକ୍ଷେପ କରି ବଳି ପଡ଼ିଲେ ବୃଦ୍ଧ , ଗରମ ତେଲ ଢ଼ାଳିଦେଲେ ଶାଶୁ ଓ ଜ୍ୱାଇଁ :-

ପରିବାର ପରିବାର ମଧ୍ୟରେ କଳହ ଖୁବ ଭୟଙ୍କର ହୋଇଥାଏ । ଏମିତିକି ଏହି କଳହ କାରଣରୁ ମାମଲା ହିଂସାକାଣ୍ଡ ଏବଂ ହତ୍ୟା ପର୍ଯ୍ୟନ୍ତ ବି ଚାଲିଯାଏ । କିଛି ନିରୀହ ଜୀବନ ବି ପ୍ରାଣ ହରାନ୍ତି । ତେବେ ଏହିପରି ଏକ ପାରିବାରିକ କଳହ କାରଣରୁ ଜଣେ ବୃଦ୍ଧଙ୍କ ଜୀବନ ଯାଇଛି । ମୃତ୍ୟୁ ସହ ଦୀର୍ଘ ଦିନ ସଂଗ୍ରାମ କରିବା ପରେ ମାଣିଆ ପ୍ରଧାନ ନାମକ ଜଣେ ବୃଦ୍ଧ ଶେଷରେ ଆଖି ବୁଜିଛନ୍ତି ।

ତେବେ ଏହି ମାମଲା ଶରଣକୂଳ ଥାନା ଚଢ଼େୟାପଲ୍ଲୀ ଗାଁର ଅଟେ । ତେବେ ଗତ କିଛି ଦିନ ତଳେ ସେହି ଗାଁ ରେ ଦୁଇ ପରିବାର ମଧ୍ୟରେ ଝଗଡ଼ା ଉପରେ ହସ୍ତକ୍ଷେପ କରିବାକୁ ଯାଇ ମାଣିଆ ପ୍ରଧାନ ପ୍ରାଣ ହରାଇଛନ୍ତି । ଗତ ବୁଧବାର ଦିନ ମାଣିଆଙ୍କ ପଡ଼ୋଶୀ ତାଙ୍କ ଉପରେ ଗରମ ତେଲ ପକାଇଥିବା ଅଭିଯୋଗ ହୋଇଛି । ତେଣୁ ପୋଲିସ ଅଭିଯୁକ୍ତ ଶାଶୁ ଏବଂ ଜ୍ୱାଇଁଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି ।

କହିବାକୁ ଗଲେ ଚଢ଼େୟାପଲ୍ଲୀ ଗ୍ରାମର ମାଣିଆ ପ୍ରଧାନଙ୍କ ଘର ନିକଟରେ ଶ୍ରୀମତୀ ପାଳ ନାମକ ଜଣେ ବିଧବା ମହିଳା ରହନ୍ତି । ତେଣୁ ଦୁଇ ପରିବାର ମଧ୍ୟରେ ସମ୍ବନ୍ଧ କହିଲେ ବେଶ ଭଲ । କିନ୍ତୁ ଗତ ୬ ତାରିଖରେ ମାଣିଆ ଶ୍ରୀମତୀ ପାଳଙ୍କ ଘରକୁ ଯାଇଥିଲେ । ମାତ୍ର ସେତେବେଳେ ଶ୍ରୀମତୀ ପାଳଙ୍କ ଘରେ କୌଣସି କାରଣକୁ ନେଇ ଶାଶୁ ଶ୍ରୀମତୀ ପାଳ ଏବଂ ଜ୍ୱାଇଁ ସନ୍ତୋଷ ଜେନାଙ୍କ ମଧ୍ୟରେ ମତାନ୍ତର ଏବଂ ପାଟିତୁଣ୍ଡ ଚାଲିଥିଲା । ଯାହାକୁ ଦେଖି ମାଣିଆ ଉଭୟଙ୍କ କଥାରେ ହସ୍ତକ୍ଷେପ କଲେ ଏବଂ ନିଜ ମତ ରଖିବାକୁ ଚାହିଁଲେ ।

ଏହି ସମୟରେ ଜ୍ୱାଇଁ ସନ୍ତୋଷ ଉତ୍ୟକ୍ତ ହୋଇ ମାଣିଆଙ୍କ ଉପରକୁ ଗରମ ତେଲ ଛାଟି ଦେଇଥିଲେ । ତେବେ ଏନେଇ ମାଣିଆଙ୍କ ପରିବାର ଲୋକଙ୍କ ଅଭିଯୋଗ ଯେ ଏଥିରେ ଶାଶୁ ଶ୍ରୀମତୀର ମଧ୍ୟ ତାଙ୍କ ଜ୍ୱାଇଁ ସହିତ ପୂର୍ଣ୍ଣ ସହଯୋଗ ରହିଥିଲା । ତେଣୁ ମାଣିଆଙ୍କ ପରିବାର ଏହି ମାମଲାକୁ ନେଇ ଥାନାରେ ଅଭିଯୋଗ ଆଣିଥିଲେ । ତେବେ ଗୁରୁତର ଅବସ୍ଥାରେ ମାଣିଆଙ୍କୁ ପ୍ରଥମେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପରେ ଅବସ୍ଥା ସଚନୀୟ ହେବାରୁ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟ ଏବଂ ଏହାପରେ କଟକ ବଡ଼ ମେଡିକାଲକୁ ନିଆଯାଇଥିଲା।

ତେବେ ଧୀରେ ଧୀରେ ତାଙ୍କ ଅବସ୍ଥା ଆହୁରି ଖରାପ ହେବାରେ ଲାଗିଥିଲା । ଦୀର୍ଘ ୭ ଦିନର ସଂଘର୍ଷ ପରେ ମଣିଆଙ୍କ ମୃତ୍ୟୁ ହୋଇଛି ଯାହାକୁ ପରିବାର ଲୋକେ ସହଜରେ ଗ୍ରହଣ କରି ପାରି ନାହାଁନ୍ତି । ତେଣୁ ଉତ୍ୟକ୍ତ ପରିବାର ଲୋକେ ଅଭିଯୁକ୍ତଙ୍କୁ କଠିନ ଦଣ୍ଡ ଦେବାକୁ ଦାବି କରିଛନ୍ତି । ତେଣୁ ପୋଲିସ ଶାଶୁ ଏବଂ ଜ୍ୱାଇଁଙ୍କ ନାମରେ ଏକ ମାମଲା ରୁଜ୍ଜୁ କରି ଗିରଫ କରିଛି ଏବଂ କୋର୍ଟ ଚାଲାଣ କରିଛି ।

Leave a Reply

Your email address will not be published. Required fields are marked *