ଗତ ୨ ଦିନ ତଳେ ଅର୍ଥାତ ଶନିବାର ଦିନ ସକାଳ ସମୟରେ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପକୁ ନେଇ ବର୍ତ୍ତମାନ ପାଣିପାଗ ବିଭାଗ ପକ୍ଷରୁ ଅନେକ ସୂଚନା ଦିଆଯାଇଛି । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏହି ଲଘୁଚାପ କାରଣରୁ ପୂର୍ବରୁ ମଧ୍ୟ ରାଜ୍ୟର ଅନେକ ଜିଲ୍ଲାକୁ ବର୍ଷା ସୂଚନା ଦିଆଯାଇଥିଲା । କିନ୍ତୁ ବର୍ତ୍ତମାନର ଅନୁମାନ ଅନୁଯାୟୀ କିଛି ଜିଲ୍ଲାକୁ ରେଡ଼ ୱାର୍ନିଙ୍ଗ ଜାରି କରାଯାଇଛି ।
ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ରମଶଃ ଅଧିକ ଶକ୍ତିଶାଳୀ ହେବାରେ ଲାଗିଛି ଯାହାକି ଆଗାମୀ ସମୟରେ ଅଧିକ ଘନୀଭୂତ ହୋଇ ତାହା ଉତ୍ତର ପଶ୍ଚିମ ଦିଗରେ ଗତି କରିବ ବୋଲି ଭୁବନେଶ୍ବର ସ୍ଥିତ ପାଣିପାଗ ବିଜ୍ଞାନୀ ମାନେ ଆକଳନ କରିଛନ୍ତି । ଏହି ଲଘୁଚାପ କାରଣରୁ ରାଜ୍ୟର ୧୦ ଟି ଜିଲ୍ଲାକୁ ରେଡ଼ ୱାର୍ନିଙ୍ଗ ଜାରି କରାଯାଇଛି । ତାହା ମଧ୍ୟରୁ ସମ୍ବଲପୁର , ଝାରସୁଗୁଡ଼ା , ଦେବଗଡ଼ , ବରଗଡ଼ , ଅନୁଗୁଳ , କଳାହାଣ୍ଡି , ଅନୁଗୁଳ , ବୌଦ୍ଧ , ସୋନପୁର , ବଲାଙ୍ଗୀର ଓ ନୂଆପଡ଼ା । ଆଞ୍ଚଳିକ ପାଣିପାଗ ଦୃଷ୍ଟିରୁବର୍ତ୍ତମାନ ସମୟରେ ବି ଏହି ଜିଲ୍ଲା ଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେଉଥିବା ଦେଖାଯାଇଛି ।
ତେବେ ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅବପାତର ରୂପ ନେଇପାରେ ବୋଲି ପାଣିପାଗ ବିଭାଗ ତରଫରୁ ପୂର୍ବାନୁମାନ କରାଯାଇଛି । ନଚେତ ବର୍ଷାର ପରିମାଣ ଆହୁରି ଅଧିକ ବଢ଼ିପାରେ ବୋଲି କୁହାଯାଇଛି । ଅବପାତର ରୂପ ନେଲେ ତାହା ଆସନ୍ତା ୧୪ ତାରିଖ ସୁଦ୍ଧା ଗଭୀର ଅବାପାତର ରୂପ ନେଇପାରେ । ଏନେଇ କିଛି ଜିଲ୍ଲା ଅରେଞ୍ଜ ଏବଂ ୟେଲୋ ୱାର୍ନିଙ୍ଗ ଜାରି କରାଯାଇଛି ।
ଅରେଞ୍ଜ ୱାର୍ନିଙ୍ଗ ଜାରି କରାଯାଇଥିବା ଜିଲ୍ଲା ଗୁଡ଼ିକ ମଧ୍ୟରେ ସୁନ୍ଦରଗଡ଼ , କେନ୍ଦୁଝର , ଢେଙ୍କାନାଳ , ଯାଜପୁର , କଟକ , ନୟାଗଡ଼ , କନ୍ଧମାଳ , ରାୟଗଡ଼ା , କୋରାପୁଟ , ମାଲକାନଗିରି ଏବଂ ନବରଙ୍ଗପୁର ରହିଛି । ତେବେ ସତର୍କ ସୂଚନା ଦିଆଯାଇଥିବା ଜିଲ୍ଲା ଗୁଡ଼ିକୁ ଭୁବନେଶ୍ୱର ସ୍ଥିତ ପାଣିପାଗ ବିଭାଗ ତରଫରୁ ସତର୍କ କରି ଦିଆଯାଇଛି । ପୂର୍ବ ଲଘୁଚାପ କାରଣରୁ ପ୍ରବଳ ବର୍ଷାରେ ଅନେକ ଜିଲ୍ଲାରେ ଏବେବି ବନ୍ୟା ପରିସ୍ଥିତି ରହିଛି । ପୁଣି ହୀରାକୁଦ ବନ୍ଧ ଖୋଲାଯିବା ପରେ ପରିସ୍ଥିତି ଆହୁରି ଭୟସଂକୁଳ ହୋଇପାରେ ବୋଲି ଅନୁମାନ କରାଯାଇଛି । ଏଣୁ କୃଷକ ମାନଙ୍କୁ ଅଧିକ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।