ଦିନେଶ ମୁଁ ଚାଲିଯିବି ତୁମ ଘର ଆଗରୁ। କେବଳ ତୁମ ଘର ଆଗରୁ ନୁହେଁ ତୁମ ଜୀବନରୁ ବି ଚାଲିଯିବି। ମୋର ତୁମ ଘର ଆଗରେ ଧାରଣାରେ ବସିବାର କୌଣସି ସ୍ୱାର୍ଥ ନଥିଲା। ମୁଁ ଏତେ କଷ୍ଟ ପାଇବାକୁ ଆଦୌ ଚାହିଁ ନଥିଲି ହେଲେ ମୋ ପାଖରେ ଅନ୍ୟ କିଛି ଉପାୟ ନାହିଁ। ମୋ ପାଖରେ ଅନ୍ୟ କିଛି ରାସ୍ତା ନାହିଁ। ମୋ କୁନି ଛୁଆକୁ ଦେଖିଲେ ତା ଭବିଷ୍ୟତ କଥା ଚିନ୍ତାକଲେ ମୁଁ ମୋ ଛାତିକୁ ଆଦୌ ପଥର କରି ପାରୁନି କାରଣ ଆମ ଭୁଲ ପାଇଁ ସେ ନିରିହ ପିଲା କଷ୍ଟ ପାଉ ତାହା ମଧ୍ୟ ମୁଁ ଚାହୁଁନି।
ଶୁଣ ଦିନେଶ ଥରେ ମାତ୍ର ଥରୁଟିଏ ମୋ ସାମ୍ନାକୁ ଆସ। ଆଉ ଥରୁଟିଏ ମୋ ଆଖିରେ ଆଖି ମିଶାଇ କହିଦିଅ ତୁମେ ମତେ କେବେ ଭଲ ନଥିଲ ତୁମେ ମତେ କେବେ କିଛି ସ୍ୱପ୍ନ ଦେଖାଇ ନଥିଲ କି ତୁମେ ମତେ ବିବାହର ପ୍ରତିଶ୍ରୁତି ଦେଇ ମୋ ସହ ଶାରୀରିକ ସମ୍ପର୍କ ରଖିନଥିଲ। ଥରେ ମୋ ଛୁଆକୁ କୋଳେଇ ନେଇ କହି ଦିଅ ସେ ଛୁଆ ତୁମର ନୁହେଁ ବୋଲି ତା ପରେ ମୁଁ ଚାଲିଯିବି ମୋ ବାଟରେ। ଦିନେଶ କାହାକୁ ନିସ୍ୱାର୍ଥ ଭଲ ପାଇବା ଦେବାପରେ ସେହି ଭଲ ପାଇବା ବଦଳରେ ଏତେ କଷ୍ଟ ମିଳେ ବୋଲି ଯଦି ମୁଁ ଆଗରୁ ଜାଣିଥାନ୍ତି ସତ କହୁଛି କେବେ ମୁଁ ଏମିତି ଭୁଲ କରିନଥାନ୍ତି।
ଦିନ ପରେ ଦିନ ରାତି ପରେ ରାତି ଏମିତି ବିତି ବିତି ଏକ ମାସ ବିତି ଗଲାଣି। ଅନେକ କଷ୍ଟ ଯନ୍ତ୍ରଣା ସହି ଦୀପିକା ଥକି ଗଲେଣି। ସେ ମଣିଷ ସେ ବି ଅନ୍ୟ ମାନଙ୍କର ପରି ରକ୍ତ ମାଂସର ଶରୀର ପାଇଛନ୍ତି ଗୋଟେ ମଣିଷ ଆଉ କେତେ କଷ୍ଟ ପାଇବ। ଆଉ ଗୋଟେ ମଣିଷ କେତେ ଯନ୍ତ୍ରଣା ସହିବ। ତେଣୁ ଦୀପିକା କହୁଛନ୍ତି ଦିନେଶ ମୋ ସାମ୍ନାକୁ ଆସନ୍ତୁ ଆଉ ମୋ ସାମ୍ନାରେ ଛିଡା ହୋଇ ମୋ ଆଖିରେ ଆଖି ମିଶାଇ ମୋ ଛୁଆକୁ ଚାହିଁ ମୋ ଛୁଆକୁ କୋଳେଇ ନେଇ ମତେ କହି ଦିଅନ୍ତୁ ଏ ଛୁଆ ମୋର ନୁହେଁ ବୋଲି ମୁଁ ଚାଲିଯିବି ଦିନେଶ ଘର ଆଗରୁ।
ଦିନେଶ ଏ ଛୁଆକୁ କେବେ ତାଙ୍କ ଛୁଆ ନୁହେଁ ବୋଲି କହି ପାରିବେନି କାରଣ DNA ଟେଷ୍ଟ ରିପୋର୍ଟ ହିଁ ଜଣାଇ ଦେଇଛି ଏ ଛୁଆ ତାଙ୍କ ରକ୍ତରୁ ହିଁ ଜନ୍ମ ନେଇଛି। ଦୀପିକା ନିଜ ଛୁଆ ପାଇଁ ନିଜର ଭବିଷ୍ୟତ ଆଉ ଦିନେଶ ତାଙ୍କୁ ଦେଖାଇ ଥିବା ସ୍ୱପ୍ନକୁ ପୂରଣ କରିବା ପାଇଁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ସେ ପାଇଁ ଦୀପିକା ସହିଗଲେଣି ଅନେକ କଷ୍ଟ।
ଆଉ ଏପଟେ ଧାରଣାକୁ ଦୀର୍ଘ ଦିନ ବିତିଯାଇଥିଲେ ବି ନା ପୋଲିସ ନା ପ୍ରଶାସନ ନା କୋର୍ଟ କେହି ହେଲେ ଦୀପିକାଙ୍କୁ ନ୍ୟାୟ ଦେଉଛନ୍ତି। କେତେବେଳେ ଦିନେଶଙ୍କ ବାପା ମାନେ ଦୀପିକାଙ୍କ ଶଶୁର ଆସି ଜିନିଷ ଫିଙ୍ଗା ଫୋପାଡା କରୁଛନ୍ତି। ତ କେତେବେଳେ ଦିନେଶଙ୍କ ସାନ ଭାଇ ଆସି ଦୀପିକାଙ୍କ ଉପରକୁ ଘର ଉପରୁ ମାଂସ ଖାଇ କଣ୍ଟା ଫିଙ୍ଗୁଛନ୍ତି।
କେତେବେଳେ ଦିନେଶଙ୍କ ବାପା ଦୀପିକାଙ୍କୁ ଏକା ଘରକୁ ଡାକୁଛନ୍ତି ତ ଆଉ କେତେବେଳେ ଗୁଣ୍ଡା ଲଗାଇ ଦୀପିକାଙ୍କ ମୁଣ୍ଡ ଉପରୁ ଜରି ପାଲ ଚିରି ଦେଉଛନ୍ତି। ତେବେ ଏତେ ସବୁ ଭିତରେ ଦୀପିକା କାନ୍ଦି ପକାଉଛନ୍ତି ପୁଣି କୋହକୁ ସମ୍ଭାଳି ନିଜ ଛୁଆର ଭବିଷ୍ୟତ ଓ ଛୁଆକୁ ବାପାର ପରିଚୟ ଦେବା ପାଇଁ ଅଣ୍ଟା ଭିଡୁଛନ୍ତି। ହେଲେ ଏତେ ସବୁ ପରେ ବି ଦୀପିକାଙ୍କ କଷ୍ଟର ଫଳ ମିଳୁନି। ଏତେ ସବୁ ପରେ ବି ଦୀପିକାଙ୍କ ଦୁଃଖ କେହି ଦେଖି ପାରୁ ନାହାଁନ୍ତି।
ଦୀପିକା ଧାରଣାରେ ବସିବା ପର ଠାରୁ ଦିନେଶ କେଉଁ ଆଡେ ଲୁଚିକି ରହିଛନ୍ତି ଯେ ଥରୁଟିଏ ଦିନେଶ ଦୀପିକାଙ୍କୁ ଦେଖା କରି ନାହାଁନ୍ତି। ଆଉ ଏପଟେ ଦିନେଶଙ୍କ ପରିବାର ଲୋକେ ମଧ୍ୟ ଘର ତାଲା ପକାଇ କେଉଁ ଆଡେ ଚାଲିଯାଇଛନ୍ତି। ହେଲେ କିନ୍ତୁ ଦୀପିକା ଏପଟେ ନ୍ୟାୟ ପାଇଁ ଚାତକ ପରି ଚାହିଁ ରହି ଆଖିରୁ ଲୁହ ଗଡାଉଛନ୍ତି। ତେବେ ଦେଖିବାକୁ ବାକି ରହିଲା କେବେ ଦିନେଶ ଦୀପିକାଙ୍କୁ ସ୍ତ୍ରୀ ଆଉ ଦୀପିକାଙ୍କ ପୁଅକୁ ନିଜ ଛୁଆ ବୋଲି ଗ୍ରହଣ କରୁଛନ୍ତି। କେବେ ଏହି ଘଟଣାର ଶେଷ ହେଉଛି ନା ଦୀପିକା ନିରାଶ ହୋଇ ଧାରଣାରୁ ଉଠି ଚାଲିଯାଉଛନ୍ତି। ତାହା ଦେଖିବାକୁ ବାକି ରହିଲା।