ମଣିଷ ଜୀବନରେ କେତେବେଳେ କେଉଁ ସମୟ ଆସିବ , ସେ କଥା ଆମେ କେହି ଜାଣି ନଥାନ୍ତି । କାହା ଜୀବନରେ ଝଞ୍ଜା ମାଡ଼ି ଆସିବ ଆଉ ତାକୁ ଭସାଇ ନେବ ସେ କଥା କିଏ ବା ଜାଣିଥାଏ । ତେବେ ଏପରି ଏକ ଜୀବନ ବଞ୍ଚୁଥିଲେ ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ଅଞ୍ଚଳର ଜଣେ ମହାନ୍ ବ୍ୟକ୍ତି । ଯାହାଙ୍କୁ ନେଇ ବର୍ତ୍ତମାନ ସମୟରେ ଜୋରଦାର ଚର୍ଚା ଚାଲିଅଛି । ରାତିରେ କରୁଛନ୍ତି କୁଲି କାମ ଆଉ ଦିନରେ ପାଲଟି ଯାଉଛନ୍ତି ଜଣେ ଶିକ୍ଷକ । ଜୀବନରେ ତାଙ୍କର ଗୋଟିଏ ଲକ୍ଷ୍ୟ ପିଲା ମାନଙ୍କର ଭବିଷ୍ୟତ ଗଢ଼ିବା ।
ତେବେ ସେ ହେଉଛନ୍ତି ବ୍ରହ୍ମପୁର ରେଲୱେ ଷ୍ଟେସନରେ କାମ କରୁଥିବା ୩୫ ନମ୍ୱର କୁଲି ସି ଏଚ୍ ନାଗେଶ୍ଵର ପାତ୍ର । ଏକ ଦରିଦ୍ର ପରିବାରରେ ଜନ୍ମ ହୋଇଥିବା ନାଗେଶ୍ଵରଙ୍କ ପାଠ ପଢା ପ୍ରତି ଥିଲା ଦୁର୍ବଳତା । ପାଠ ପଢ଼ିବାକୁ ଇଛା ଥିଲେ ମଧ୍ୟ ଆର୍ଥିକ ସମସ୍ୟା ପାଠ ପଢାରେ ବାଧା ସାଜିଥିଲା। ତେଣୁ ୨୦୦୬ ମସିହାରେ ଦଶମ ପରୀକ୍ଷା ନ ଦେଇ ପାରି ସେ ସୁରାଟ ଚାଲି ଯାଇଥିଲେ ଆଉ ସେଠାରେ ଏକ ସୂତା କଳରେ କାମ କରି ପେଟ ପୋଷିବା ସହିତ ପରିବାର ପୋଷି ଥିଲେ । ତେବେ ଏତିକିରେ ଅଟକି ଯାଇ ନଥିଲେ ସେ ପୁଣି ଥରେ ୨୦୧୦ ମସିହାରେ ଦଶମ ପରୀକ୍ଷା ଦେଇ ପାସ୍ ହୋଇ ଯାଇଥିଲେ ।
ଆଉ ନିଜ ଜୀବନରେ ଉଚ୍ଚ ଅଭିଳାଷ ରଖିଥିଲେ । ଜୀବନରେ ସେ କିଛି କରି ଦେଖାଇବେ ବୋଲି ଇଚ୍ଛା ରଖିଥିଲେ । ତେବେ ଏହାପରେ ଏକ ସୂତା କଳରେ କାମ କରୁଥିବା ସମୟରେ ସେ ଦେଖିଥିଲେ କି , ବ୍ରହ୍ମପୁର ରେଳ ବିଭାଗରେ କୁଲି ପାଇଁ ପୋଷ୍ଟ ବାହାରିଛି ଆଉ ସେଥିରେ ସେ ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହୋଇ ଚାକିରୀ ପାଇଲେ । ତେବେ ନିଜ ଜୀବନରେ ସେ ସିନା ଏକ ବଡ ମଣିଷ ହୋଇ ପାରି ନଥିଲେ କିନ୍ତୁ ପିଲା ମାନଙ୍କୁ ଶିକ୍ଷା ଦାନ କରିବା ପାଇଁ ସେ ଏକ କୋଚିଂ ସେଣ୍ଟର୍ ଖୋଲି ଥିଲେ ଆଉ ସେଠାରେ ସେ ପିଲା ମାନଙ୍କୁ ଶିକ୍ଷା ଦାନ କରୁଛନ୍ତି ।
ରାତିରେ କୁଲି କାମ କରୁଥିବା ବେଳେ ସକାଳେ ନିଜ କୋଚିଂ ସେଣ୍ଟର୍ ରେ ପାଠ ପଢ଼ାଇବା ସହିତ ତାପରେ ଏକ କଲେଜ ରେ ପାଠ ପଢ଼ାଇବା ପାଇଁ ଯାଇଥାନ୍ତି ନାଗେଶ୍ଵର । ଆଉ ପିଲା ମାନଙ୍କୁ ଶିକ୍ଷା ଦାନ କରିବା ଦ୍ୱାରା ତାଙ୍କୁ ଆତ୍ମତୃପ୍ତି ମିଳିଥାଏ ବୋଲି ସେ କହିଛନ୍ତି । ସେ ଏହି ପିଲା ମାନଙ୍କୁ ପାଠ ପଢ଼ାଇ ବଡ ମଣିଷ କରିବେ ବୋଲି ଜୀବନରେ ଆଶା ରଖିଛନ୍ତି । ନିଜ ଜୀବନରେ ସେ ଯାହା କରି ପାରି ନାହାଁନ୍ତି , ସେ ସବୁ ଏହି ପିଲା ମାନଙ୍କ ପାଇଁ କରିବେ ବୋଲି ନାଗେଶ୍ଵର କହିଛନ୍ତି । ଅନ୍ୟ ପକ୍ଷରେ ତାଙ୍କର ଏହି ଚେଷ୍ଟା ଆଉ ଆଗ୍ରହ ପାଇଁ ତାଙ୍କୁ ସମସ୍ତେ କୁଲି ନମ୍ୱର୍ ୱାନ ବୋଲି କହିଥାନ୍ତି ।