ଆଖିରୁ ଲୁହ ଝରାଇ ତିନି ନାତିକୁ ପଖାଳ ସହ ଲୁଣ ଲଙ୍କା ଖାଇବାକୁ ଦେଉଛନ୍ତି ଜେଜେ ମା : ଦେଖନ୍ତୁ ଭିଡିଓ

ଦୁନିଆଁର ଅନେକ ଲୋକ ଅଛନ୍ତି, ଯେଉଁମାନେ ଖାଇବାକୁ ଦୁଇ ଓଳି ମଧ୍ୟ ଭଲ ଭାବରେ ପାଉ ନାହାଁନ୍ତି । ଅନ୍ୟପକ୍ଷରେ ଆଉ କେତେକ ଲୋକ ଅଛନ୍ତି, ଯେଉଁମାନେ ଖାଇବାକୁ ନଷ୍ଟ କରି ଚାଲିଛନ୍ତି । ଅଯଥାରେ ଖାଦ୍ୟକୁ ଫୋପାଡ଼ି ଦେଉଛନ୍ତି । ଥରେ ବି ଭାବୁନାହାଁନ୍ତି କି , ଦୁନିଆଁର ଲୋକମାନେ ଭଲଭାବରେ ଖାଇବାକୁ ପାଉନାହାଁନ୍ତି । ଏଭଳି ଭାବିଥିଲେ ଦୁନିଆଁ କେତେ ଆଗକୁ ଯାଇଥାନ୍ତା ଆଉ କେହି ମଧ୍ୟ ଭୋକ ଉପାସରେ ରହିନଥାନ୍ତେ । ଥରେ ସେହି ଭୋକିଲା ଲୋକମାନଙ୍କ କଥା ଭାବନ୍ତୁ, କେତେ କଷ୍ଟରେ ସେମାନେ ଜୀବନ ଅତିବାହିତ କରୁଥିବେ ।

ତେବେ ଏଭଳି ଏକ ଘଟଣା ସାମ୍ନାକୁ ଆସିଅଛି । ଘଟଣାଟି ଓଡ଼ିଶା ରାଜ୍ୟର ମୟୁରଭଞ୍ଜ ଜିଲ୍ଲାର କପ୍ତିପଦା ବ୍ଲକ ଅନ୍ତର୍ଗତ ରାବଣଦେଇ ଗ୍ରାମପଞ୍ଚାୟତର କୁଟୁରିଆ ଖୁଡିସାହି ଗ୍ରାମର ଅଟେ । ଏହି ଗ୍ରାମର ସାକ୍ରା ସୋରେନ ନାମକ ଜଣେ ବୟସ୍କା ମହିଳା ନିଜର ଚାରି ନାତି ନାତୁଣୀଙ୍କର ଏକୁଟିଆ ପେଟ ପୋଷଣ କରୁଛନ୍ତି । ପରିବାରରେ ଆଉ କେହି ମୁରବୀ ନାହିଁ । ବୁଢ଼ୀ ମା ନିଜେ ନ ଖାଇ ନ ପିଇ ଚାରି ନାତି ନାତୁଣୀଙ୍କୁ ଖାଇବାକୁ ଦେଉଛି । ତେବେ ସୂଚନା ମୁତାବିକ , ଗୋଟିଏ ବର୍ଷର ତଳେ ବୁଢ଼ୀ ମାର ପୁଅ କୌଣସି କାରଣରୁ ଆର ପାରିକୁ ଚାଲି ଯାଇଥିଲେ ଆଉ ତାର ଛଅ ମାସ ପରେ ତାଙ୍କ ବୋହୂ ଘର ଛାଡ଼ି ଚାଲି ଯାଇଥିଲେ । ସେଦିନ ଠାରୁ ବୁଢ଼ୀ ଜେଜେ ମା ନିଜ ନାତି ନାତୁଣୀଙ୍କର ସମସ୍ତ ରେକର୍ଡ ନିଜ ମୁଣ୍ଡ ଉପରକୁ ନେଇଛନ୍ତି ।

ଏହାଛଡା ସେ ତାଙ୍କର ଏକମାତ୍ର ନାତୁଣୀକୁ ଆଶ୍ରମରେ ରଖି ପାଠ ପଢ଼ାଉଛନ୍ତି । ଆଉ ଏପଟେ ତିନି ନାତିଙ୍କୁ ଧରି ଛୋଟ ଚାଳିଆ ଘରେ ରହୁଛନ୍ତି । ସକାଳ ପାହୁଣୁ ବୁଢ଼ୀ ଜେଜେମା ନାତି ମାନଙ୍କୁ ଧରି ଜଙ୍ଗଲକୁ ଖାଦ୍ୟ ଖୋଜିବା ପାଇଁ ବାହାରି ପଡନ୍ତି । ସମସ୍ତ ଜଙ୍ଗଲ ଜାତ ଦ୍ରବ୍ୟ ଗୁଡିକୁ ସଂଗ୍ରହ କରି ସାରିବା ପରେ ଘରକୁ ଫେରି ଆସନ୍ତି । ଆଉ ସେଗୁଡିକୁ ହିଁ ବିକ୍ରି କରି କିମ୍ବା ଅନ୍ୟ ଘରେ ମୁଲ ଲାଗି ନିଜ ପରିବାର ପୋଷଣ କରୁଛନ୍ତି ବୁଢ଼ୀ ଜେଜେ ମା । ବାପା ଛେଉଣ୍ଡ ପିଲାମାନଙ୍କର ଢାଳ ହୋଇ ଛିଡା ହୋଇଥାନ୍ତି ଜେଜେ ମା । ଯାହା ଯେତିକି ପାରନ୍ତି , ସେତିକି ଖାଇବାକୁ ଦେଇଥାନ୍ତି । ତେବେ ଏହାବ୍ୟତୀତ ସରକାରଙ୍କ ଠାରୁ ମାତ୍ର ୩୫ କିଲୋ ଚାଉଳ ସାହାଯ୍ୟ ପାଇଥାନ୍ତି ।

ସେଗୁଡିକୁ ହିଁ ନିଜ ପେଟ ପୋଷିବାରେ ଲୋଡିଥାନ୍ତି । ପିଲାମାନେ ମଧ୍ୟ ନିଜ ଜେଜେ ମାଙ୍କୁ ଘର କାମରେ ସାହାଯ୍ୟ କରିଥାନ୍ତି । କିଏ ପାଣି ଆଣିଥାଏ ତ ଆଉ କିଏ ରୋଷେଇ କାର୍ଯ୍ୟରେ ତାଙ୍କୁ ସାହାଯ୍ୟ କରିଥାଏ । ତେବେ ଏହାବ୍ୟତୀତ ନିଜ ମୁଣ୍ଡ ଉପରେ ଗୋଟିଏ ଭଲ ଚାଳ ନାହିଁ । ଜୀବଜନ୍ତୁଙ୍କର ଭୟ ସବୁବେଳେ ଲାଗି ରହିଥାଏ । ତେଣୁ ଏ ସମସ୍ତ ସମସ୍ୟା କପ୍ତିପଦା ବ୍ଳକର ବିଡ଼ିଓଙ୍କର ନିକଟରେ ପହଞ୍ଚିଥିଲା । ସେ ଏହାର ସମାଧାନ କରିବେ ବୋଲି ମତ ଦେଇଛନ୍ତି । ସେ କହିଛନ୍ତି ଯେ, ସାକ୍ରା ସୋରେନଙ୍କୁ ଏକ ବିଜୁ ପକ୍କା ଯୋଜନାରେ ଘର ଯୋଗାଇ ଦିଆଯିବ । ଏହାବ୍ୟତୀତ ପିଲାମାନଙ୍କ ପାଠ ପଢା ପାଇଁ ସମସ୍ତ ଖର୍ଚ୍ଚ ବହନ କରିବେ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି ।

Leave a Reply

Your email address will not be published. Required fields are marked *