ମିଶିଲା ନନ୍ଦିତା ଏବଂ ମନୋଜ ଦୁହିଁଙ୍କର ମନ । ଦୁଇ ବୁକ ବଧିରଙ୍କର ପଡ଼ିଲା ହାତ ଗଣ୍ଠି ।

ବିବାହ ବନ୍ଧନରେ ବାନ୍ଧି ହେବା ପାଇଁ ପାଟିରେ କଥା କହିବା ନିହାତି ଜରୁରୀ ନୁହେଁ କିମ୍ବା କାନକୁ ଶୁଭୁଥିବା ମଧ୍ୟ ଜରୁରୀ ନୁହେଁ । ମନର ଭାଷାକୁ ବୁଝି ପାରୁଥିଲେ ହିଁ ବିବାହ ସମ୍ଭବ । ଏହି ଦୃଶ୍ୟ ତାହାହିଁ ଉପସ୍ଥାପନ କରୁଛି । ଆଉ ଏଭଳି ଏକ ବିବାହ ମନ୍ଦିରରେ ଚାଲୁଥିବା ସହିତ ପୁରା ମନ୍ଦିରରେ ବନ୍ଧୁ ବାନ୍ଧବଙ୍କ ଭିଡ଼ ଲାଗି ରହିଛି ।

ବେଦୀରେ ବର ବଧୂ ବସିଛନ୍ତି ଏବଂ ମନ୍ତ୍ର ପଢ଼ା ଚାଲିଛି , ଯାହାକୁ ଦୁହେଁ କେବଳ ଦେଖି ପାରୁଛନ୍ତି କିନ୍ତୁ କିଛିବି କହିପାରୁ ନାହାଁନ୍ତି । ସୂଚନା ଅନୁଯାୟୀ ଏଭଳି ଏକ ବିବାହ ଭଦ୍ରକ ଜିଲ୍ଲାରେ ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ଯାଜପୁର ଜିଲ୍ଲା ବରହଟା ଗ୍ରାମର ହରିହର ପତିଙ୍କ ପୁଅ ମନୋଜ ପତି ଏବଂ କନିଆ ବେଶରେ ସଜେଇ ହୋଇଛନ୍ତି ଭଦ୍ରକର ବିଶ୍ୱନାଥ ଦାସଙ୍କ ଝିଅ ନନ୍ଦିତା ଦାସ ।

ମନୋଜ ଏବଂ ନନ୍ଦିତା ଉଭୟେ ନା କଥା ହୋଇ ପାରନ୍ତି ନା କଥା ଶୁଣି ପାରନ୍ତି । କିନ୍ତୁ ଦୁହେଁ ଦୁହିଁଙ୍କ ଅକୁହା ଭାଷାକୁ ବୁଝିଛନ୍ତି । କଥା ନହୋଇ ପାରିଲେ କଣ ହେଲା , ଏ ଦୁହେଁ ପରସ୍ପରର ମନର ଭାଷାକୁ ବୁଝିଛନ୍ତି ଏବଂ ଦୁହେଁ ସାତ ଜନ୍ମ ସାଥିରେ ବିତାଇବାକୁ ନିଷ୍ପତ୍ତି ନେଇଛନ୍ତି ।

ମନୋଜ ଏବଂ ନନ୍ଦିତାଙ୍କର ନୂଆ ଜୀବନ ଆରମ୍ଭରୁ ସାକ୍ଷୀ ଅଛନ୍ତି ଦଧିବାବନ ଜୀଉ । ତାସହିତ ପରିବାରର ପ୍ରିୟଜନ ମଧ୍ୟ ଉପସ୍ଥିତ ରହି ତାଙ୍କୁ ଆଶୀର୍ବାଦ କରୁଛନ୍ତି । ଉଭୟେ କଥା ହୋଇ ପାରନ୍ତି ନାହିଁ ସତ କିନ୍ତୁ କେବଳ ଯେ କଥାରେ ହିଁ ମନର ଭାବକୁ ଜଣେ ବୁଝି ପାରିବ ତାହା ଆଦୋୖ ନୁହେଁ । ଆଉ ଏହି କଥାକୁ ନନ୍ଦିତା ଏବଂ ମନୋଜ ପ୍ରମାଣ କରି ଦେଖାଇଛନ୍ତି ।

ମନୋଜ ଏବଂ ନନ୍ଦିତା ଉଭୟେ ଜନ୍ମରୁ ଦିବ୍ୟାଙ୍ଗ ଅଟନ୍ତି । କିନ୍ତୁ ଏହା କୌଣସି ଅଭାବ କିମ୍ବା ଦୁର୍ବଳତା ନୁହେଁ କାରଣ ସମସ୍ତଙ୍କ ଭଳି ଦୁହେଁ ବେଦୀରେ ସଜେଇ ହୋଇ ସାତ ଜନ୍ମର ସାଥି ହେବାକୁ ଅଗ୍ନି ଆଗରେ ସାକ୍ଷୀ ରଖି ବିବାହ କରୁଛନ୍ତି । ଉଭୟେ ଉଭୟଙ୍କୁ ବୁଝିଛନ୍ତି , ଆଉ ଏଠାରେ ଅଭାବ ବା କେଉଁଠି ରହିଲା ? ଭଦ୍ରକ ସହର ଉପକଣ୍ଠର ପୂଜାରୀ ସାହି ଦଧିବାବନ ଜୀଉ ମନ୍ଦିରରେ ଏମିତି ଏକ ନିଆରା ବିବାହ ଅନୁଷ୍ଠିତ ହୋଇଛି । ଆଉ ସମସ୍ତେ ନନ୍ଦିତା ଏବଂ ମନୋଜଙ୍କ ଯୋଡ଼ିକୁ ଖୁବ ଭଲପାଇବା ଦେବା ସହିତ ଉଭୟେ ଉଭୟଙ୍କ ପାଇଁ ଜନ୍ମ ହୋଇଥିବା କହିଛନ୍ତି ।

Leave a Reply

Your email address will not be published. Required fields are marked *