ଡାକ୍ତରଙ୍କ ନାମରେ ସଙ୍ଗୀନ ଅଭିଯୋଗ , ଗର୍ଭବତୀ ମହିଳାଙ୍କ ପେଟରେ ଛାଡିଦେଲେ ଗଜକପଡ଼ା :-

ମଣିଷ ମାତ୍ରକେ ଭୁଲ ହୁଏ ଏହା ସତ୍ୟ ଅଟେ କିନ୍ତୁ କିଛି ଭୁଲ ଏପରି ହୋଇଥାଏ ତାହା ମଣିଷ ମାତ୍ରକେ ନୁହେଁ ବରଂ ଅନ୍ୟମନସ୍କ ହେବା କାରଣରୁ ହୋଇଥାଏ । ଅନେକ ଖବର ଏପରି ବି ଶୁଣାଯାଇଛି ଯେ ଡାକ୍ତର ମାନଙ୍କ ଭୁଲ ଯୋଗୁଁ ଅନେକ ଲୋକଙ୍କ ଜୀବନ ଯାଇଛି । ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ଏହିପରି ଜଣେ ଡାକ୍ତରଙ୍କ ଅନ୍ୟମନସ୍କ ହେବା କାରଣରୁ ଘଟି ଯାଇଥିବା ଘଟଣା ବିଷୟରେ କହିବୁ । ଯେଉଁଠି ହୁଏତ ମହିଳା ଜୀବିତ ଅଛନ୍ତି କିନ୍ତୁ ଦୀର୍ଘ ୬ ମାସ ଧରି ଅସହ୍ୟ ଯନ୍ତ୍ରଣାରେ ପୀଡ଼ିତ ହୋଇଛନ୍ତି ।

ସୂଚନା ଅନୁଯାୟୀ ଘଟଣାଟି ହେଉଛି କୋରାପୁଟ ଜିଲ୍ଲାର । କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ଥାନା ଅନ୍ତର୍ଗତ ବିରିଗୁଡ଼ା ଗାଁ ର ଚେତନ ହଳବାଙ୍କ ସ୍ତ୍ରୀ କାଞ୍ଚନ ପ୍ରସବ ବେଦନା କାରଣରୁ ତାଙ୍କୁ ଗତ ୨୦୨୧ ମସିହା ଅକ୍ଟୋବର ୩ ତାରିଖରେ ରାୟଗଡ଼ା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ତାଙ୍କ ପ୍ରସବ ସାଧାରଣ ହୋଇ ନଥିବାରୁ ଅସ୍ତ୍ରପଚାର କରାଯାଇଥିଲା । ସେହି ସମୟରେ ଡାକ୍ତରଙ୍କର ଏକ ତ୍ରୁଟି ରହି ଯାଇଥିଲା । ଅସ୍ତ୍ରୋପଚାର ର ୫ ଦିନ ପରେ ଅର୍ଥାତ ଅକ୍ଟୋବର ୮ ତାରିଖରେ ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ ।

ଘରକୁ ଆସିବାର ମାତ୍ର ୧୫ ଦିନ ପରେ କାଞ୍ଚନ ଙ୍କ ପେଟରେ ଯନ୍ତ୍ରଣା ଅନୁଭୂତ ହୋଇଥିଲା । ତେଣୁ ତାଙ୍କୁ ପୁଣିଥରେ ରାୟଗଡ଼ା ମେଡିକାଲ ରେ ଭର୍ତ୍ତି କରାଗଲା । ଡାକ୍ତର ଟେଷ୍ଟ କରିବା ପରେ କିଛି ମେଡ଼ିସିନ ସହ ତାଙ୍କୁ ଘରକୁ ପଠାଇ ଦେଇଥିଲେ । ଏହାର ଦୀର୍ଘ ୩ ମାସ ପରେ ପୁଣି ଅସହ୍ୟ ଯନ୍ତ୍ରଣା ହେଲା ଏବଂ ଦିନକୁ ଦିନ ତାହା ବଢ଼ିବାରେ ଲାଗିଲା । ଯାହାଦ୍ୱାରା କାଞ୍ଚନ ଙ୍କ ସ୍ୱାମୀ ତାଙ୍କୁ ୨୦୨୨ ଜାନୁଆରୀ ୩୧ ତାରିଖରେ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରଙ୍କୁ ଦେଖାଇ ଥିଲେ ଏବଂ ତାଙ୍କର ଅଲ୍ଟ୍ରାସାଉଣ୍ଡ ପରେ ପେଟରେ କୌଣସି ବସ୍ତୁ ଥିବା ଜଣା ପଡ଼ିଥିଲା ।

ଏହା ଜାଣିବା ପରେ କାଞ୍ଚନ ଙ୍କ ସ୍ୱାମୀ ଚେତନ ମେଡିକାଲ କର୍ତ୍ତୃପକ୍ଷ କିମ୍ବା ଡାକ୍ତର ଙ୍କ ଉପରେ ଆଉ ଭରସା ନକରି ନିଜର ଘର ଜମି ବନ୍ଧା ପକାଇ କାଞ୍ଚନ ଙ୍କୁ ଆନ୍ଧ୍ରପ୍ରଦେଶ ବିଶାଖାପାଟଣା ର ହିନ୍ଦୁସ ମେଡିକାଲ ରେ ଭର୍ତ୍ତି କରାଇଲେ ଏବଂ ଗତ ଫେବୃୟାରୀ ୫ ରେ ପୁଣିଥରେ ଅସ୍ତ୍ରୋପଚାର କରାଯାଇ କାଞ୍ଚନ ଙ୍କ ପେଟରୁ ବଡ଼ ଗଜକପଡ଼ା କୁ ବାହାର କରାଯାଇଥିଲା । ଏଥିପାଇଁ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ଚେତନ କହିଛନ୍ତି ।

ତେବେ ବର୍ତ୍ତମାନ ଚେତନ ଏଥିପାଇଁ ରାୟଗଡ଼ା ମେଡିକାଲ ର ସ୍ତ୍ରୀ ଓ ପ୍ରସୂତୀ ବିଭାଗର ଡାକ୍ତର ଲତିକା ବେହେରା ଯିଏକି ସେଠାକାର ମୁଖ୍ୟ ଚିକିତ୍ସକ ତାଙ୍କ ନାମରେ ରାୟଗଡ଼ା ଟାଉନ ଥାନାରେ ଲିଖିତ ଅଭିଯୋଗ ଆଣିଛନ୍ତି । ପୋଲିସ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ମଧ୍ୟ ଆରମ୍ଭ କରିଛି । ସେପଟେ ସିଡିଏମଓ ଲାଲମୋହନ ରାଉତରାୟ ଙ୍କ ଅନୁଯାୟୀ ଖୁବଶୀଘ୍ର ଘଟଣା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି ।

Leave a Reply

Your email address will not be published. Required fields are marked *