ଜଣେ 60 ବର୍ଷ ବୟସ୍କ ଗରିବ ଶ୍ରମିକଙ୍କୁ ମଡେଲ କରାଇଲେ ଫଟୋଗ୍ରାଫର , ଦେଖନ୍ତୁ ଶ୍ରମିକରୁ ମଡେଲ ହେବାର କେମିତି ଦେଖା ଯାଉଥିଲେ :- ଦେଖନ୍ତୁ ଭିଡିଓ

କାହାର ଭାଗ୍ୟ କେତେବେଳେ ଖୋଲିଯିବ ତାହା କହିହେବ ନାହିଁ । ଏହିପରି କିଛି ଘଟିଛି କେରଳର ଦୈନିକ ମଜୁରୀଆଙ୍କ ସହିତ । ଏକ ଝଟକାରେ ସେ ଲୁଙ୍ଗି-ସାର୍ଟ ପିନ୍ଧା ଦୈନିକ ମଜୁରୀଆରୁ ସୁଟ୍-ବୁଟ୍ ଏବଂ ଫ୍ୟାଶନେବଲ୍ ଗଗଲ୍ସ ପିନ୍ଧା ଏକ ମଡେଲ ହୋଇଥିଲେ । ସେ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଚର୍ଚ୍ଚାରେ ଅଛନ୍ତି ।

ଲୁଙ୍ଗି ଏବଂ ସାର୍ଟ ପିନ୍ଧା ଜଣେ 60 ବର୍ଷ ବୟସ୍କ ଦିନ ମଜୁରୀଆ କେବେ ସ୍ୱପ୍ନରେ ଭାବି ନଥିବେ ଯେ ତାଙ୍କର ମଡେଲିଂ ଟ୍ୟାଲେଣ୍ଟ ଯୋଗୁଁ ଦିନେ ସେ ଇଣ୍ଟରନେଟ୍ ଦୁନିଆରେ ଚର୍ଚ୍ଚାରେ ରହିବେ । ଏହି ଦିନ ମଜୁରୀଆ ମାମ୍ମିକ୍କା ନାମରେ ଚିହ୍ନଟ ହୋଇଛନ୍ତି ଯିଏ କେରଳର କୋଝିକୋଡ ସହରର ଅଟନ୍ତି । ତେବେ ମମିକ୍କାଙ୍କୁ ଜାଣିଥିବା ଲୋକମାନେ ତାଙ୍କୁ କେବଳ ପୁରୁଣା ଲୁଙ୍ଗି ଏବଂ ସାର୍ଟରେ ଦେଖୁଥିଲେ । କିନ୍ତୁ ଯେତେବେଳେ ଜଣେ ଫଟୋଗ୍ରାଫର ଏହି ଶ୍ରମିକଙ୍କୁ ତାଙ୍କ ପ୍ରୋଜେକ୍ଟ ପାଇଁ ବାଛିଲେ, ସେତେବେଳେ ମାମ୍ମିକ୍କାଙ୍କ ସୁପର ଗ୍ଲାମରସ୍ ମେକଓଭର ଇଣ୍ଟରନେଟରେ ଭାଇରାଲ ହୋଇଥିଲା ।

ଫଟୋଗ୍ରାଫର ଶାରିକ୍ ଭାୟଲିଲ୍ ଏହି ଶ୍ରମିକଙ୍କ ମଧ୍ୟରେ ଲୁଚିଥିବା ପ୍ରତିଭାକୁ ଜାଣିପାରିଲେ ଏବଂ ତାଙ୍କୁ ତାଙ୍କର ଏକ ପ୍ରୋଜେକ୍ଟ ପାଇଁ ମଡେଲ୍ ଅଫର୍ କରିଥିଲେ । ଶାରିକ୍ ପୂର୍ବରୁ ସୋସିଆଲ ମିଡିଆରେ ମାମ୍ମିକ୍କାଙ୍କ ଏକ ଫଟୋ ସେୟାର କରିଥିଲେ, ଯାହା ଅଭିନେତା ବିନାୟକନଙ୍କ ସହ ମିଶୁଥିଲା, ତେଣୁ ଏହା ଭାଇରାଲ ମଧ୍ଯ ହେଲା ।

ଯେତେବେଳେ ଏହି ଆସାଇନମେଣ୍ଟ ଆସିଲା, ଶାରିକଙ୍କୁ ପ୍ରଥମେ ମାମ୍ମିକ୍କାଙ୍କ କଥା ମନେ ପଡ଼ିଲା । ସେ ତୁରନ୍ତ 60 ବର୍ଷ ବୟସ୍କ ଶ୍ରମିକଙ୍କୁ ଏହି ବିଷୟରେ ଜଣାଇଲେ । ଆର୍ଟିଷ୍ଟ୍ ମଜନାସ୍ ତାଙ୍କର ଏପରି ମେକଓଭର କରିଥିଲେ ଯେ ସୋସିଆଲ ମିଡିଆ ଜନସାଧାରଣ ମାମ୍ମିକ୍କାଙ୍କ ସ୍ୱାଗର ପ୍ରଶଂସା କରି ଥକୁନଥିଲେ ।

ବାସ୍ତବରେ, ଏହି ଫଟୋସୁଟ୍ ଏକ ସ୍ଥାନୀୟ ଫାର୍ମର ପ୍ରମୋସନ ପାଇଁ କରାଯାଇଥିଲା, ଯେଉଁଥିରେ ମାମ୍ମିକ୍କା ସୁଟ୍-ବୁଟ୍ ଏବଂ ଏକ ଆକର୍ଷଣୀୟ ଚଷମା ପିନ୍ଧି ହାତରେ ଏକ ଆଇପ୍ୟାଡ୍ ଧରିଥିଲେ । ତେବେ ତାଙ୍କ ଚେହେରା କୌଣସି ବୃତ୍ତିଗତ ମଡେଲଠାରୁ କମ୍ ଦେଖାଯାଉନାହିଁ । ମାମ୍ମିକ୍କା ତାଙ୍କ ସଫଳତାରେ ବହୁତ ଖୁସି ଅଛନ୍ତି । ସେ କହିଛନ୍ତି ଯେ ଯଦି ସେ ଏପରି ଆହୁରି ଅଫର ପାଆନ୍ତି, ତେବେ ସେ ମଡେଲିଂ ଜାରି ରଖିବେ ।

mammikka_007 ନାମରେ ଏକ ଇନଷ୍ଟାଗ୍ରାମ ପେଜ ମଧ୍ୟ ରହିଛି, ଯେଉଁଠାରେ ଆପଣ ତାଙ୍କୁ ସାଧାରଣ ପୋଷାକ ସହିତ ଗ୍ଲାମରସ୍ ଲୁକରେ ମଧ୍ୟ ଦେଖିପାରିବେ । ତାଙ୍କ ମଡେଲିଂ ଚେହେରା ଇଣ୍ଟରନେଟରେ ଭାଇରାଲ ହେବା ଫଳରେ ମାମ୍ମିକ୍କା କୋଝିକୋଡ଼ର ବେନ୍ନକଡ, କୋଡିବଲିରେ ‘ହିରୋ’ ସାଜିଛନ୍ତି ।

ଇନଷ୍ଟାଗ୍ରାମରେ mammikka_007 ନାମକ ଏକ ପେଜରେ ଏକ ଭିଡିଓ ଅପଲୋଡ୍ ହୋଇଛି ଯେଉଁଥିରେ ମାମ୍ମିକ୍କାଙ୍କର ଶ୍ରମିକରୁ ମଡେଲ ହେବାର ଏକ ଝଲକ ଦିଆଯାଇଛି ।

ଶ୍ରମିକରୁ ମଡେଲ ହୋଇଥିବା ମାମ୍ମିକ୍କାଙ୍କ ଲୋକପ୍ରିୟତା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ତାଙ୍କର ଆଶା ରହିଛି ଯେ ସେ ଖୁବ୍ ଶୀଘ୍ର ଦିନ ମଜୁରୀଆ କାର୍ଯ୍ୟକୁ ସଂପୂର୍ଣ୍ଣ ଛାଡି ମଡେଲିଂ କ୍ଷେତ୍ରକୁ ଆସିବେ । ତେବେ ବର୍ତ୍ତମାନ ତାଙ୍କୁ ଇନଷ୍ଟାଗ୍ରାମରେ ଶହେରୁ ଅଧିକ ଲୋକ ଫଲୋ କରୁଛନ୍ତି ।

Leave a Reply

Your email address will not be published. Required fields are marked *