ନିଜ ଝିଅକୁ ଫେରି ପାଇବାକୁ ମାର ଆକୁଳ ନିବେଦନ ” ମୋ ଝିଅ ମୋତେ ଫେରାଇ ଦିଅ ” ……:-

ମାଆଟିଏ ନିଜ ପିଲା ପାଇଁ କିଛି ବି କରିପାରେ । ନିଜ ଜୀବନ ଦେବା ପାଇଁ ମଧ୍ୟ ସେ ରାଜି ଥାଏ । ନିଜ ଜୀବନକୁ ଖାତିର ନ କରି ମାଆଟିଏ ସବୁକିଛି କରି ଯାଏ । ଆଉ ଯେତେବେଳେ ତା ଆଖିର ତାରା ତା ଠାରୁ ଦୂରେଇ ଯାଏ , ସେତେବେଳେ ନିଜ କଷ୍ଟକୁ ଆଉ ସହି ପାରେନାହିଁ ମାଆଟିଏ । କାନ୍ଦି କାନ୍ଦି ପାଗଳ ହୋଇଯାଏ । ୧୦ ମାସ ଧରି ଯେଉଁ ସନ୍ତାନକୁ ସେ ଗର୍ଭରେ ରଖିଥାଏ , ତା ପାଇଁ ସେ ଜୀବନ ଦେବାକୁ ଆଉ ଜୀବନ ନେବାକୁ ମଧ୍ୟ ପ୍ରସ୍ତୁତ ରହିଥାଏ ।

ତେବେ ଏଭଳି ଜଣେ ଅସହାୟ ମାଆ କାନ୍ଦି କାନ୍ଦି ନିଜ ଝିଅକୁ ପାଇବା ପାଇଁ ଆକୁଳ ନିବେଦନ କରିଛନ୍ତି । ତାଙ୍କ ଆଖିର ତାରାକୁ ଫେରାଇ ଦେବାପାଇଁ ସେ ଚାରିଆଡ଼େ ଦୌଡୁଛନ୍ତି । ହେଲେ ତାଙ୍କ କଥା କିଏ ବା ଶୁଣୁଛି । ବାର ଦୁଆର ଘୁରି ବୁଲୁଛନ୍ତି ସେ । ତେବେ ସୂଚନା ମୁତାବିକ , କେନ୍ଦ୍ରାପଡା ଜିଲ୍ଲା ଆଳି ଅଞ୍ଚଳର ସ୍ମୃତିରେଖା ଆଠ ବର୍ଷ ପୂର୍ବରୁ ସେହି ନିକଟସ୍ଥ ଗ୍ରାମର ଅକ୍ଷୟ ଦାସଙ୍କୁ ବିବାହ କରିଥିଲେ । ଆଉ ବିବାହର କିଛି ବର୍ଷ ପରେ ତାଙ୍କ ଗର୍ଭରୁ ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା ।

ଏହାବ୍ୟତୀତ ବିବାହର କିଛି ମାସ ପରେ ହିଁ ଆରମ୍ଭ ହୋଇ ଯାଇଥିଲା ତାଙ୍କ ଉପରେ ଯୌତୁକ ନିର୍ଯ୍ୟାତନା । ବାରମ୍ବାର ଯୌତୁକ ମାଗି ଚାଲିଥିଲେ ଶାଶୁଘର ଲୋକେ । କିନ୍ତୁ ସ୍ମୃତିରେଖାଙ୍କର ବାପା କିମ୍ବା ଭାଇ ନଥିବା ହେତୁ କେହି ବି ତାଙ୍କୁ ଏହି ଅସୁବିଧାରୁ ମୁକୁଳାଇ ପାରୁନଥିଲେ । ନିଜ ବିଧବା ମାଆଙ୍କୁ ଆଉ ସେ କଣ ବା ମାଗି ପାରିଥାନ୍ତେ । ବିବାହ ପୂର୍ବରୁ ଶାଶୁଘର ଲୋକେ ଯୌତୁକ ନୁହେଁ ବରଂ ଗୋଟିଏ ଝିଅ ଦରକାର ବୋଲି କହିଥିଲେ ଆଉ ବିବାହ ପରେ ଆରମ୍ଭ କରିଥିଲେ ନିର୍ଯ୍ୟାତନା ।

ତେବେ କିଛିଦିନ ପୂର୍ବରୁ ଅତ୍ୟାଚାର ସହି ନ ପାରି ବାପଘରେ ଆସି ରହୁଥିଲେ ସ୍ମୃତିରେଖା ଆଉ ସାଥିରେ ନେଇ ଆସିଥିଲେ ନିଜ ଛଅ ବର୍ଷର ଝିଅକୁ । କିନ୍ତୁ କାଲି ତାଙ୍କ ସ୍ୱାମୀ ଲୋକ ଲଗାଇ ତାଙ୍କ ଝିଅଙ୍କୁ ତାଙ୍କ ଠାରୁ ଛଡାଇ ନେଇ ଯାଇଥିଲେ । ଆଉ ତାପରେ ଦୁଃଖରେ ଭାଙ୍ଗି ପଡ଼ିଥିଲେ ସ୍ମୃତିରେଖା । କାନ୍ଦି କାନ୍ଦି ବେହାଲ ହୋଇ ଗଲେଣି ସେ।

ସମସ୍ତଙ୍କ ଆଗରେ ସାହାଯ୍ୟ ପାଇଁ ହାତ ବଢ଼ାଇଛନ୍ତି ସେ । ସେ କହିଛନ୍ତି କି ଯଦି ସେ ଶାଶୁଘରକୁ ଝିଅକୁ ଆଣିବାପାଇଁ ଯିବେ , ତେବେ ଶାଶୁଘର ଲୋକ ତାଙ୍କ ପାଖରେ ଥିବା ସମ୍ପତ୍ତିକୁ ଛଡାଇ ନେବେ । ତେବେ ଏଭଳି ପରିସ୍ଥିତିରେ ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ପଡିଛନ୍ତି ସ୍ମୃତିରେଖା ଆଉ ପୋଲିସ ପାଖରେ ଲିଖିତ ଅଭିଯୋଗ କରିଛନ୍ତି ।

Leave a Reply

Your email address will not be published. Required fields are marked *