ସରକାରୀ ବାବୁ ବୋଲି କଣ ଗୋଡ଼ ମାଲିସ କରିବାକୁ କହିବ ?

ବାବୁ ସାଇ ଛନ୍ତି ଗୋଡ଼ ହାତ ଲମ୍ବଇ ଆଉ ବାବୁଙ୍କ ଦେହରେ ତେଲ ମାଲିସ କରୁଛନ୍ତି ଜଣେ। ଏ କଥା ଶୁଣି ଆପଣ ମାନେ ଭାବୁଥିବେ ବୋଧେ ହୁଏ ରାଜା ଘର ପୁଅ କେହି ହେଇଥିବେ। ହେଲେ ନାଇଁ ଆଜ୍ଞା ଏ କୌଣସି ରାଜାଙ୍କ ପୁଅ ନୁହଁନ୍ତି କି ଏ ମଧ୍ୟ ରାଜ ମହଲ ନୁହେଁ। ଏ ବାବୁହେଉଛନ୍ତି ଜଣେ ସରକାରୀ ଚାକିରିଆ ମାନେ ଏ ବାବୁ ଜଣଙ୍କ ହେଉଛନ୍ତି ମୋଟୁ ଅଞ୍ଚଳର ରେଞ୍ଜର ବାବୁ। ଆଉ ସରକାରୀ ଚାକିରୀ କରିଛନ୍ତି ବୋଲି ମନେ ମନେ ତାଙ୍କର ପ୍ରବଳ ଗର୍ଵ।

ସରକାରୀ ଚାକିରୀ କରିଛନ୍ତି ଆଉ ଉଚ୍ଚ ପଦବୀରେ ଅଛନ୍ତି ବୋଲି ଜଣେ ନୁହେଁ ଦୁଇ ଦୁଇ ଜଣଙ୍କୁ ତେଲ ମାଲିସ କରିବାକୁ ବାବୁ କୁଆଡେ ନିର୍ଦେଶ ଦେଇଥିବା କୁହାଯାଉଛି। ଯେତେବେଳେ ବଡ଼ ବାବୁ ନିର୍ଦେଶ ଦେଇଛନ୍ତି ବଡ଼ ବାବୁଙ୍କ କଥା କୋଉ ମାଟିରେ ପଡିବ କି ବଡ଼ ବାବୁଙ୍କ କଥା ନରଖିଲେ କାଳେ ଚୌକି ଟଳ ମଳ ହୋଇଯିବ ତେଣୁ ବାବୁଙ୍କୁ ତେଲ ମାଲିସ କରିବାରେ ବି ବିଜି ଅଛନ୍ତି ଦୁଇ ଜଣ।

ଏ ଘଟଣା ସାମ୍ନାକୁ ଆସିଛି ମାଲକାନଗିରି ଜିଲ୍ଲା ମୋଟୁ ଅଞ୍ଚଳରୁ ଆଉ ଏହି ରେଞ୍ଜର ବାବୁ ଜଣଙ୍କ ହେଉଛନ୍ତି ରଶ୍ମି ରଞ୍ଜନ ସ୍ୱାଇଁ। ଅଭିଯୋଗ ଅନୁଯାୟୀ ବନ ବିଭାଗର ଅସ୍ଥାୟୀ କର୍ମଚାରୀଙ୍କୁ ଚାପ ପକାଇ କୁଆଡେ ବାଧ୍ୟ ବାଧ୍ୟ ବାଧକତାରେ ଏପରି ଗୋଡ଼ ହାତରେ ତେଲ ମାଲିସ କରିବାକୁ ବାବୁ କହୁଛନ୍ତି ଇଛା ନଥିଲେ ମଧ୍ୟ ଖଣ୍ଡିଏ ଚାକିରୀ ପାଇଁ ସେମାନେ ବାବୁଙ୍କ ସେବା କରିବାକୁ ମନା କରି ପାରୁନାହାଁନ୍ତି।

ଏହି ତେଲ ମାଲିସ ହେବା ସମୟର ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଥିବା ବେଳେ ଏହି ଭିଡିଓ ଯିଏ ବି ଦେଖୁଛନ୍ତି ତାଙ୍କ ମନରେ ଭ୍ରମ ସୃଷ୍ଟି ହେଉଛି କେହି କେହି ଭାବୁଛନ୍ତି କି ଏ ମହାରଥୀ ମହାରାଜା ଜଣଙ୍କ କିଏ ଯାହାଙ୍କୁ ଏପରି ସେବା କରାଯାଉଛି। ଆଉ ଯେତେବେଳେ ଜାଣୁଛନ୍ତି ଏ କେଉଁ ରାଜା ନୁହନ୍ତି କି ମହାରଥୀ ନୁହଁନ୍ତି ସେତେବେଳେ କହୁଛନ୍ତି ସରକାରୀ ଚାକିରୀ କରିଛନ୍ତି ବୋଲି କଣ କର୍ମଚାରୀଙ୍କୁ ନିଜ କାମରେ ଖଟାଇବେ।

ତେବେ ସୂଚନା ଅନୁଯାୟୀ ଏ କେଉଁ ଦିନେ କି ଦୁଇ ଦିନର କଥା ନୁହେଁ ପ୍ରତ୍ୟକ ଦିନ ବାବୁଙ୍କୁ ଏପରି ସେବା କରିବାକୁ ବାବୁ କୁହନ୍ତି ବୋଲି ଅଭିଯୋଗ ହେଉଛି। ଆଉ ଭୟରେ ବାବୁଙ୍କ କଥାକୁ କାଟି ନପାରି ତେଲ ମାଲିସ କରନ୍ତି ଅସ୍ଥାୟୀ କର୍ମଚାରୀ।ସେପଟେ କଥା କେବଳ ଏତିକିରେ ଅଟକି ନାହିଁ କି କେବଳ ଅସ୍ଥାୟୀ କର୍ମଚାରୀ ତେଲ ମାଲିସି କରୁଛନ୍ତି ତାହା ନୁହେଁ। ବାବୁ ଯାବତୀୟ କାର୍ଯ୍ୟ କାରିବାକୁ ବି କୁହନ୍ତି ରନ୍ଧା ବଢା ଠାରୁ ଆରମ୍ଭ କରି ରାତି ଅଧିଆ ବିଭିନ୍ନ କାର୍ଯ୍ୟ କରାଇଥାନ୍ତି।

ତେବେ ବିବାଦରେ ଛନ୍ଦି ହୋଇଥିବା ରେଞ୍ଜର ବାବୁଙ୍କ କ୍ୟାମ୍ପସ ପରିସରରେ ଦାମି ସାଗୁଆନ କାଠକୁ ହଣା ଯାଉଥିବା ମଧ୍ୟ ଦେଖିବାକୁ ମିଳିଥିଲା ଯାହାକୁ ନେଇ ଲୋକେ ନା ନା କଥା କହୁଥିବା ବେଳେ ଏବେ ପୁଣି ତେଲ ମାଲିସ ହେବାର ଦୃଶ୍ୟ ଭାଇରାଲ ହେବାରେ ଲାଗିଛି।

ଏହି ଭାଇରାଲ ଭିଡ଼ିଓକୁ ଦେଖି ଲୋକେ କହୁଛନ୍ତି ଏ ରେଞ୍ଜର ବାବୁଙ୍କର କୁଆଡେ ଭାରି ଆତ୍ମଗର୍ଵ କେବଳ ଗର୍ଵ ନୁହେଁ ପ୍ରବଳ ସାହସ ମଧ୍ୟ କିପରି ଅସ୍ଥାୟୀ କର୍ମଚାରୀଙ୍କୁ ଏଭଳି କାର୍ଯ୍ୟ କରାଉଛନ୍ତି ତାଙ୍କ ସାହସ କୁ ମାନିବାକୁ ପଡିବ। ସେମାନେ ଅସ୍ଥାୟୀ କର୍ମଚାରୀ ବୋଲି କଣ ସେ ରହିଛନ୍ତି ଏହି ରେଞ୍ଜର ବାବୁଙ୍କ ସେବା କରିବାକୁ ବୋଲି ଲୋକେ ପ୍ରଶ୍ନ କରିଛନ୍ତି। ତେବେ ଦେଖିବାକୁ ବାକି ରହିଲା ଏହି ଭିଡିଓ ଉପରିସ୍ଥ ବାବୁ ମାନେ ଦେଖିବା ପରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି।

Leave a Reply

Your email address will not be published. Required fields are marked *