ବିଧବା ର ବୋଝକୁ ମୁଣ୍ଡରୁ ପୋଛିଲେ ବ୍ୟକ୍ତି , ହାତ ଧରି ସାରା ଜୀବନ କଲେ ଜୀବନସାଥି

ଜଣେ ବିଧବା ମହିଳାକୁ ଏ ଦୁନିଆଁ ଏକ ନୀଚ୍ଚ ଦୃଷ୍ଟିକୋଣରେ ଦେଖିଥାଏ । ତାକୁ ଅଶୁଭ ଭାବରେ ସମସ୍ତେ ବିବେଚନା କରିଥାନ୍ତି ଆଉ ତା ସହିତ ମିଶିବା ମଧ୍ୟ ବନ୍ଦ କରି ଦିଅନ୍ତି । ସେ ଆଉ କାହା ଘରକୁ ଗଲେ ଅଶୁଭ ହୋଇଥାଏ ବୋଲି ସମସ୍ତେ ଭାବିଥାଆନ୍ତି ଆଉ ତାକୁ ଡାକିବା ମଧ୍ୟ ପସନ୍ଦ କରନ୍ତି ନାହିଁ । ତେବେ ଏପରି ମଧ୍ୟ ଆମ ସମାଜରେ ଆଗରୁ ହୋଇଛି କି , ସ୍ଵାମୀ ମରିଯିବା ପରେ ବିଧବା ସ୍ତ୍ରୀକୁ ମଧ୍ୟ ସେହି ନିଆଁରେ ଲୋକ ମାନେ ଜାଳି ଦେଇଥାନ୍ତି । ତେବେ ଆଜିର ସମାଜରେ ତାହା ଉଠି ଗଲାଣି ଆଉ ଲୋକ ମାନଙ୍କ ମଧ୍ୟରେ ଅନ୍ଧବିଶ୍ୱାସ କମି ଗଲାନି ।

ତଥାପି ଆଜି ବି ଦୁନିଆଁରେ ଏପରି ଅନେକ ବିଧବା ଲୋକ ଅଛନ୍ତି , ଯାହାଙ୍କୁ ଅଶୁଭ ଭାବରେ ବିବେଚନା କରାଯାଉଛି । ଆଉ ତାଙ୍କ ସହିତ ଲୋକ ମାନେ ମିଶିବା ଠିକ୍ ବୋଲି ଭାବୁ ନାହାଁନ୍ତି । ତେବେ ଏପରି ପରିସ୍ଥିତିରେ ଜଣେ ବିଧବା ମହିଳାଙ୍କ ମୁଣ୍ଡରେ ଲାଗିଥିବା କଳଙ୍କଙ୍କୁ ଉଠାଇ ଦେଇଛନ୍ତି ଜଣେ ବ୍ୟକ୍ତି । ଆଉ ତାଙ୍କ ମଥାରେ ସିନ୍ଦୂର ଦେଇ ତାଙ୍କୁ ସାରା ଜୀବନ ନିଜ ସ୍ତ୍ରୀ ଭାବରେ ଗ୍ରହଣ କରି ନେଇଛନ୍ତି । କେବଳ ଏତିକି ନୁହେଁ , ବିଧବା ମହିଳାଙ୍କ ସମେତ ତାଙ୍କ ଛୋଟ ଝିଅକୁ ମଧ୍ୟ ବ୍ୟକ୍ତି ଜଣକ ଆପଣାଇ ନେଇଛନ୍ତି । ନିଜର ଏପରି ବଡ ହୃଦୟ ପାଇଁ ତାଙ୍କୁ ବର୍ତ୍ତମାନ ସମୟରେ ଅନେକ ପ୍ରଶଂସା କରାଯାଉଛି ।

ସୂଚନା ଅନୁଯାୟୀ , କଟକ ଜିଲ୍ଲା ସାଲେପୁର ଚନ୍ଦ୍ରାଦେଇପୁର ଗ୍ରାମର ଅମୂଲ୍ୟ କୁମାର କର ନାମକ ଜଣେ ବ୍ୟକ୍ତି ନିଶ୍ଚିତକୋଇଲି ଗୁହାଳ ଗ୍ରାମର ଅନୁଶୟା ପରିଡ଼ାଙ୍କୁ ବିବାହ କରିଛନ୍ତି । ଅନୁଶୟା ୨୦୧୬ ମସିହାରେ ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ । କିନ୍ତୁ ସେ ରୋଗରେ ପୀଡ଼ିତ ହୋଇ ୨୦୨୧ ମସିହାରେ ଆରପାରିକୁ ଚାଲିଗଲେ । ଆଉ ଛାଡି ଚାଲିଗଲେ ନିଜର ଏକ ଛୋଟ ଝିଅକୁ । ଏପଟେ ଅନୁଶୟା ନିଜ ମୁଣ୍ଡରେ ବିଧବାର ବୋଝ ମୁଣ୍ଡେଇ ଏକା ରହିଗଲେ । ନିଜ ବାପ ଘରେ ମଧ୍ୟ ବାପା ମାଆଙ୍କ ବୋଝ ପାଲଟି ଗଲେ ଅନୁଶୟା ।

ତେବେ ଏହି ସମୟ ମଧ୍ୟରେ ଅମୁଲ୍ୟ ବାହାଘର ପ୍ରସ୍ତାବ ନେଇ ଅନୁଙ୍କ ଘରକୁ ଯାଇଥିଲେ । ଆଉ ଜଣେ ବିଧବା ମୁଣ୍ଡରେ ଲାଗିଥିବା କଳଙ୍କଙ୍କୁ ପୋଛିବା ପାଇଁ ସେ ଚେଷ୍ଟା କରିଥିଲେ । ଆଉ ଏପରି ପଦକ୍ଷେପକୁ ବର୍ତ୍ତମାନ ସମସ୍ତେ ପ୍ରଶଂସା କରିବାରେ ଲାଗିଛନ୍ତି । ତେବେ ଏହାରି ମଧ୍ୟରେ ଅମୁଲ୍ୟଙ୍କ ପ୍ରସ୍ତାବରେ ତାଙ୍କ ଘର ଲୋକ ସହମତି ଦେଖାଇଥିଲେ । ଆଉ ଏହାପରେ ଦୁଇ ପରିବାର ମଧ୍ୟ ବିବାହ ପାଇଁ ରାଜି ହୋଇ ଯାଇଥିଲେ । କେବଳ ଅନୁଶୟାଙ୍କୁ ନୁହେଁ ତାଙ୍କର ଛୋଟ ଝିଅକୁ ମଧ୍ୟ ଆପଣାଇ ନେବା ପାଇଁ ରାଜି ହୋଇ ଯାଇଥିଲେ ଅମୁଲ୍ୟ । ତେବେ ଗତକାଲି ଦୁହେଁ ମନ୍ଦିରରେ ବିବାହ କରି ନେଇଛନ୍ତି ।

Leave a Reply

Your email address will not be published. Required fields are marked *