ଗରମ ଦିନ ଆସିଛି । ବର୍ତ୍ତମାନ କେବଳ ଗରମର ମାତ୍ରା ନୁହେଁ ବରଂ ବିଦ୍ୟୁତ୍ ବିଲ ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇବ । ଯଦି ଆପଣ ଏୟାର କଣ୍ଡିସନର ଅର୍ଥାତ୍ AC ବ୍ୟବହାର କରନ୍ତି, ତେବେ ଆପଣ କିଛି ଉପାୟ ଗ୍ରହଣ କରି ବିଦ୍ୟୁତ୍ ବିଲ୍ କମ୍ କରିପାରିବେ । ତେବେ ଆସନ୍ତୁ ଜାଣିବା ଏହାର ସହଜ ଉପାୟ ।
ଗରମ ଦିନ ଆସିବା ମାତ୍ରେ ଲୋକମାନେ ଆରାମ ପାଇଁ ନିଜ ଘରେ AC ଏବଂ କୁଲର ବ୍ୟବହାର କରନ୍ତି । ଏୟାର କଣ୍ଡିସନର ଅର୍ଥାତ୍ AC ବ୍ୟବହାର କରିବା ଦ୍ଵାରା ଘରର ତାପମାତ୍ରା ତ କମିଯାଏ, କିନ୍ତୁ ବିଦ୍ୟୁତ ବିଲ ବୃଦ୍ଧି ପାଇଥାଏ ଏବଂ ଏହା ଆପଣଙ୍କର ମାସର ବଜେଟକୁ ମଧ୍ଯ ପ୍ରଭାବିତ କରିପାରେ । ତେବେ ଯଦି କିଛି ଜିନିଷ ଉପରେ ଧ୍ୟାନ ରଖାଯିବ ତେବେ ଏହାକୁ କମ୍ କରାଯାଇପାରିବ ।
ତେବେ ଆଜିକାଲି ଆସୁଥିବା AC ପୁରୁଣା AC ତୁଳନାରେ କମ୍ ବିଦ୍ୟୁତ୍ ଖର୍ଚ୍ଚ କରୁଥିଲେ ମଧ୍ୟ ଏହାର ବିଦ୍ୟୁତ୍ ବିଲ୍ ଅନେକ ଲୋକଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇପାରେ । ଯଦି ଆପଣ ମଧ୍ୟ AC ଯୋଗୁଁ ଆସୁଥିବା ବିଦ୍ୟୁତ୍ ବିଲ୍ ଦ୍ୱାରା ବିରକ୍ତ ହେଉଛନ୍ତି ତେବେ ଆପଣ କିଛି ଟିପ୍ସ ଅନୁସରଣ କରି ଏହାକୁ ହ୍ରାସ କରିପାରିବେ । ତେବେ ଆସନ୍ତୁ ଜାଣିବା ଏପରି କିଛି ଉପାୟ ଯାହା ଦ୍ଵାରା ବିଦ୍ୟୁତ୍ ବିଲ୍ ହ୍ରାସ କରାଯାଇପାରିବ ।
ସଠିକ୍ ତାପମାତ୍ରା ବାଛିବା:-
ଆପଣ ସର୍ବନିମ୍ନ ତାପମାତ୍ରାରେ AC ବ୍ୟବହାର କରିବା ଉଚିତ୍ ନୁହେଁ । ଲୋକମାନେ ଭାବନ୍ତି ଯେ 16 ଡିଗ୍ରୀ ତାପମାତ୍ରାରେ AC ବ୍ୟବହାର କଲେ ସେମାନେ ଅତ୍ୟଧିକ ଥଣ୍ଡା ପାଇବେ, କିନ୍ତୁ ଏହା ଠିକ୍ ନୁହେଁ । BEE ଅର୍ଥାତ୍ ବ୍ୟୁରୋ ଅଫ୍ ଏନର୍ଜି ଏଫିସିଏନ୍ସି ଅନୁଯାୟୀ, ମାନବ ଶରୀର ପାଇଁ ଆଦର୍ଶ ତାପମାତ୍ରା 24 ଡିଗ୍ରୀ ସେଲସିୟସ୍ ଅଟେ ଏବଂ ଯଦି ଆପଣ ଏହି ତାପମାତ୍ରାରେ ଏୟାର କଣ୍ଡିସନର ବ୍ୟବହାର କରନ୍ତି, ତେବେ ଆପଣଙ୍କର ବିଲ୍ କମ୍ ଆସିବ ।
ପାୱାର ଅଫ୍ କରିବା:-
ଏୟାର କଣ୍ଡିସନର ହେଉ କିମ୍ବା ଅନ୍ୟ ଯେକୌଣସି ବୈଦ୍ୟୁତିକ ଉପକରଣ, ଯଦି ଆପଣ ଏହାକୁ ବ୍ୟବହାର କରୁନାହାଁନ୍ତି, ତେବେ ପାୱାର ସୁଇଚ୍ ବନ୍ଦ ରଖନ୍ତୁ । ଅଧିକାଂଶ ଲୋକ ରିମୋଟରେ AC ବନ୍ଦ କରିଦିଅନ୍ତି, କିନ୍ତୁ ପାୱାର୍ ସୁଇଚ୍ ଅନ୍ ରହିଥାଏ । ଏହାକୁ ଧ୍ୟାନରେ ରଖି ଆପଣ ବିଦ୍ୟୁତ୍ ବିଲ୍ କମ୍ କରିପାରିବେ ।
ଟାଇମର୍ ବ୍ୟବହାର କରନ୍ତୁ:-
ସମସ୍ତ ଏସିରେ ଆପଣଙ୍କୁ ଟାଇମରର ବିକଳ୍ପ ମିଳିଥାଏ । ଏୟାର କଣ୍ଡିସନର ରାତିସାରା ବ୍ୟବହାର କରିବା ଅପେକ୍ଷା ଏହି ଫିଚର୍ ବ୍ୟବହାର କରିବା ଉଚିତ୍ । ଟାଇମର୍ ସେଟ୍ କରିବା ଦ୍ଵାରା ଏକ ନିର୍ଦ୍ଦିଷ୍ଟ ସମୟ ପରେ AC ଆପେ ଆପେ ବନ୍ଦ ହୋଇଯାଏ । ଏହା ଆପଣଙ୍କ ବିଦ୍ୟୁତ୍ ବିଲ୍ ମଧ୍ୟ ହ୍ରାସ କରିପାରେ ।
ଠିକ୍ ସମୟରେ ସର୍ଭିସିଂ କରାନ୍ତୁ:-
ସମସ୍ତ ଉପକରଣ ପରି ଏୟାର କଣ୍ଡିସନରକୁ ମଧ୍ୟ ସମୟ ସମୟରେ ସର୍ଭିସିଂ କରାଇବା ଉଚିତ୍ । ଯେହେତୁ ଭାରତରେ ବର୍ଷସାରା AC ବ୍ୟବହାର ହୁଏ ନାହିଁ, ସେଥିପାଇଁ ଆପଣ ସମୟ ସମୟରେ ଏଗୁଡ଼ିକୁ ସର୍ଭିସିଂ କରିବା ଉଚିତ୍ ।
ଝରକା ଏବଂ କବାଟଗୁଡ଼ିକ ବନ୍ଦ୍ କରନ୍ତୁ:-
ଯଦି ଆପଣ ଏୟାର କଣ୍ଡିସନର ବ୍ୟବହାର କରିବା ପୂର୍ବରୁ କୋଠରୀର ଝରକା ଏବଂ କବାଟକୁ ସଠିକ୍ ଭାବରେ ବନ୍ଦ କରିଥିବେ, ତେବେ ରୁମ୍ ଶୀଘ୍ର ଥଣ୍ଡା ହୋଇଯିବ ଏବଂ ଏପରି କରିବା ଦ୍ୱାରା କୋଠରୀଟି ଦୀର୍ଘ ସମୟ ପର୍ଯ୍ୟନ୍ତ ଥଣ୍ଡା ମଧ୍ଯ ରହିବ । ଯଦି ଆପଣ ଏହି ଜିନିଷଗୁଡ଼ିକୁ ଧ୍ୟାନରେ ରଖନ୍ତି, ତେବେ ନିଶ୍ଚିତ ଭାବରେ ଆପଣଙ୍କ ବିଦ୍ୟୁତ୍ ବିଲ୍ ପୂର୍ବ ଅପେକ୍ଷା କମ୍ ଆସିବ ।