ପିପିଲେ ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀଙ୍କ ବିରୋଧରେ ମୈଦାନକୁ ଓଲ୍ହାଇଲେ ପତ୍ନୀ ଜାଗୃତି ପଣ୍ଡା।

ରୋଚକ ହେଉଛି ପିପିଲି ରାଜନୀତି। ବିଜେଡିରୁ ଲଢ଼ୁଛନ୍ତି ରୁଦ୍ର ମହାରଥୀ। ସ୍ତ୍ରୀ ଜାଗୃତି ହେଲେ ସ୍ୱାଧୀନ ପ୍ରାର୍ଥୀ।ଆଜ୍ଞା ହଁ ବନ୍ଧୁଗଣ ରାଜ୍ୟ ରାଜନୀତିରେ ନିର୍ବାଚନୀ ଉସପ୍ତା ଭିତରେ ପିପିଲିରୁ ଆସିଛି ବଡ଼ ଖବର। ପିପିଲି ନିର୍ବାଚନୀ ମଣ୍ଡଳୀରେ କିଛି ଏମିତି ଘଟଣା ଘଟିଛି ଯାହା ରାଜନୀତିରେ ହୁଏତ ଆଗରୁ କେବେ ଘଟିନଥିବ। ନିର୍ବାଚନୀ ମୈଦାନରେ ମୁହାଁମୁହିଁ ହେଉଛନ୍ତି ସ୍ୱାମୀ ସ୍ତ୍ରୀ। ସ୍ୱାମୀ ବିଜେଡି ପ୍ରାର୍ଥୀ ଏବଂ ସ୍ତ୍ରୀ ହେଇଛନ୍ତି ସ୍ୱାଧୀନ ପ୍ରାର୍ଥୀ। ଯଦିଓ ଚଳିତ ନିର୍ବାଚନରେ ଗୋଟିଏ ପରିବାରରୁ ବାପା-ପୁଅ ମା-ପୁଅ ଆଉ ସ୍ୱାମୀ-ସ୍ତ୍ରୀ ନିର୍ବାଚନ ଲଢ଼ୁଥିବାରୁ ଦେଖିବାକୁ ମିଳିଛି ସେମାନେ ସମସ୍ତେ କିନ୍ତୁ ଗୋଟିଏ ଦଳରୁ ପ୍ରାର୍ଥୀ ହୋଇଛନ୍ତି।।

ହେଲେ ପୁରୀ ଜିଲ୍ଲା ପିପିଲି ନିର୍ବାଚନ ମଣ୍ଡଳୀରେ କିନ୍ତୁ ଚିତ୍ର ବଦଳି ଯାଇଛି। ଗୋଟିଏ ପଟେ ସ୍ୱର୍ଗତଃ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀ ବିଜେଡି ଟିକେଟରେ ନିର୍ବାଚନ ଲଢ଼ୁଛନ୍ତି। ହେଲେ ଅନ୍ୟପଟେ ରୁଦ୍ରଙ୍କ ପତ୍ନୀ ଜାଗୃତି ତାଙ୍କ ବିରୋଧରେ ମୈଦାନକୁ ଓଲ୍ହାଇଛନ୍ତି। ରୁଦ୍ର ମହାରଥୀ ପିପିଲି ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ହୋଇଥିବା ବେଳେ ନାମାଙ୍କନ ପତ୍ର ବି ଦାଖଲ କରିସାରିଛନ୍ତି। ହେଲେ ତାଙ୍କ ସ୍ତ୍ରୀ ଜାଗୃତି ପଣ୍ଡା ନିଜ ସ୍ବାମୀଙ୍କ ବିରୋଧରେ ଲଢ଼ିବା ନିର୍ବାଚନୀ ମୈଦାନକୁ ଓଲ୍ହାଇଛନ୍ତି।

ମିଳିଥିବା ଖବର ଅନୁସାରେ ଜାଗୃତି ପିପିଲି ନିର୍ବାଚନ ମଣ୍ଡଳୀରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିବେ। ଏଥିପାଇଁ ସେ ସୋମବାର ନାମାଙ୍କନ ପତ୍ର ମଧ୍ୟ ଦାଖଲ କରିଛନ୍ତି। ଏହା ପୂର୍ବରୁ ଗତ ୩ ତାରିଖରେ ରୁଦ୍ର ମହାରଥୀ ନାମାଙ୍କନ ପତ୍ର ଭରି ସାରିଥିବା ବେଳେ ଗତ କାଲି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ପତ୍ନୀ ଜାଗୃତି ପଣ୍ଡା। ତେବେ ହଠାତ ସ୍ବାମୀଙ୍କ ବିରୋଧରେ ଜାଗୃତି କାହିଁକି ପ୍ରାର୍ଥୀ ହେବା ପାଇଁ ଚାହିଁଲେ ଏବଂ ପିପିଲିରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ମୈଦାନକୁ ଓଲ୍ହାଇଲେ ତାକୁ ନେଇ ଦେଖାଦେଇଛି ଦ୍ଵନ୍ଦ।

ତେବେ ଆଶ୍ଚର୍ଯ୍ୟର କଥା ହେଉଛିକି ଜାଗୃତି ଗତ କାଲିଠାରୁ ନାମାଙ୍କନ ପତ୍ର ଦାଖଲ କରିସାରିଥିଲେ ମଧ୍ୟ ହଠାତ ଏହି କଥା ସାମ୍ନାକୁ ଆସିପାରିନଥିଲା। ହେଲେ ଏହି କଥା ସାମ୍ନାକୁ ଆସିବା ପରେ ରାଜନୈତିକ ମହଲରେ ଏହାକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି। ତେବେ ଜାଗୃତି କାହିଁକି ସ୍ଵାଧୀନ ପ୍ରାର୍ଥୀ ଭାବେ ନିଜ ସ୍ୱାମୀ ରୁଦ୍ର ମହାରଥୀଙ୍କ ବିରୋଧରେ ପ୍ରାର୍ଥୀ ହେବାକୁ ନିଷ୍ପତ୍ତି ନେଲେ ସେ ସମ୍ପର୍କରେ କିଛି ମୁହଁ ଖୋଲି ନାହାଁନ୍ତି। ସେ ନେଇ ରୁଦ୍ରଙ୍କ ତରଫରୁ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିନାହିଁ।

ତେବେ ଯଦି ଅତୀତକୁ ଦେଖାଯାଏ ପିପିଲି ନିର୍ବାଚନ ମଣ୍ଡଳୀରୁ ରୁଦ୍ରଙ୍କ ବାପା ପ୍ରଦୀପ ମହାରଥୀ ୭ ଥର ବିଧାନସଭା କୁ ନିର୍ବାଚିତ ହୋଇଥିଲେ। ସେ ୧୯୮୫ ଓ ୧୯୯୦ରେ ଜନତା ଦଳ ଟିକେଟରେ ଲଢ଼ି ବିଜୟୀ ହୋଇଥିଲେ। ଆଉ ଏହା ପରେ ୨୦୦୦ ୨୦୦୪ ୨୦୦୯ ୨୦୧୪ ଓ ୨୦୧୯ରେ ବିଜେଡି ପ୍ରାର୍ଥୀ ଭାବେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ତେବେ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ୨୦୨୧ରେ ହୋଇଥିବା ପିପିଲି ଉପନିର୍ବାଚନରେ ତାଙ୍କ ପୁଅ ରୁଦ୍ର ମହାରଥୀଙ୍କୁ ବିଜେଡି ପ୍ରାର୍ଥୀ କରିଥିଲା। ଆଉ ସେ ମଧ୍ୟ ବିଜୟୀ ହୋଇଥିଲେ। ଏଥର ମଧ୍ୟ ରୁଦ୍ରଙ୍କୁ ପିପିଲିରୁ ବିଧାୟକ ପ୍ରାର୍ଥୀ ଭାବେ ବିଜେଡି ଟିକେଟ ଦେଇଛି। ଆଉ ସେ ମଧ୍ୟ ନିଜ ନିର୍ବାଚନ ମଣ୍ଡଳୀରେ ଜୋରସୋରରେ ପ୍ରଚାର ଚଲାଇଛନ୍ତି।

ହେଲେ ଏହା ଭିତରେ ଗତ କାଲିଠାରୁ ରୁଦ୍ରଙ୍କ ପତ୍ନୀ ଜାଗୃତି ପଣ୍ଡା ପିପିଲି ବିଧାନସଭା ଆସନରୁ ସ୍ୱାଧୀନ ବିଧାୟିକା ପ୍ରାର୍ଥୀ ଭାବେ ନାମାଙ୍କନ ଭରିଛନ୍ତି। ଏହାକୁ ନେଇ ଉଭୟ ସ୍ୱାମୀ ସ୍ତ୍ରୀ କିଛି ମୁହଁ ଖୋଲି ନଥିବା ବେଳେ ଏକଥା ମଧ୍ୟ କୁହାଯାଉଛି ସ୍ୱାମୀ ରୁଦ୍ର ମହାରଥୀଙ୍କ ନାମାଙ୍କନ ପତ୍ରରେ କିଛି ତ୍ରୁଟି ଥିଲେ କାଳେ ନାକଚ ହୋଇଯିବ ସେଥିପାଇଁ ସ୍ତ୍ରୀ ଜାଗୃତି ପଣ୍ଡା ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଛନ୍ତି। ଆଉ ଯଦି ସ୍ବାମୀଙ୍କ ନାମାଙ୍କନ ପତ୍ର କାଏମ ରହେ ତେବେ ଜାଗୃତି ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିନେବେ।ତେବେ ଏହି ଚର୍ଚ୍ଚାରେ କେତେ ସତ୍ୟତା ଅଛି ତାହା ଆଗକୁ ଜଣା ପଡିବ।

Leave a Reply

Your email address will not be published. Required fields are marked *