ଓଡ଼ିଶା ଉପକୂଳ ଛୁଇଁବ ସମ୍ଭାବ୍ୟ ବାତ୍ୟା ଆସାନି ! ପାଣିପାଗ ବିଜ୍ଞାନୀ ଶରତ ଚନ୍ଦ୍ର ସାହୁଙ୍କ ସ୍ପଷ୍ଟ ପୂର୍ବାନୁମାନ :-

ମଇ ୪ ରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣିବଳୟ ଆଗାମୀ ୫ ରେ ଲଘୁଚାପ ପରିଣତ ହୋଇଛି । ଏବଂ ପୂର୍ବରୁ ପାଣିପାଗ ବିଜ୍ଞାନୀଙ୍କ ଅନୁମାନ ଅନୁଯାୟୀ ଏହା ଆଗାମୀ ସମୟରେ ଅବପାତ ଏବଂ କ୍ରମଶଃ ଗଭୀର ଅବପାତରେ ପରିଣତ ହୋଇ ବାତ୍ୟାର ରୂପ ନେବ ବୋଲି ମଧ୍ୟ ଭିନ୍ନ ଭିନ୍ନ ପାଣିପାଗ ବିଭାଗ କେନ୍ଦ୍ର ତରଫରୁ ଅନୁମାନ କରାଯାଇଛି । ତେଣୁ ସମଗ୍ର ଓଡ଼ିଶାରେ ବର୍ତ୍ତମାନ ସମ୍ଭାବ୍ୟ ବାତ୍ୟା ଆସାନିକୁ ନେଇ ବାତ୍ୟାକାଳୀନ ପ୍ରସ୍ତୁତି ଜାରି କରାଯାଇଛି । ଏହା ସହିତ ଲୋକ ଚିନ୍ତିତ ମଧ୍ୟ ଅଛନ୍ତି ।

କାରଣ ଆସାନିର ଦିଗ ସମ୍ବନ୍ଧରେ ଏବଂ ଲ୍ୟାଣ୍ଡଫଲ ସ୍ଥାନ ସମ୍ବନ୍ଧରେ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ଲଘୁଚାପ ବାତ୍ୟାର ରୂପ ନେବା ପରେ ଯାଇ ଏହା ସ୍ପଷ୍ଟ ହେବ ବୋଲି କୁହାଯାଇଛି । ପୁଣି ଏହା ସ୍ପଷ୍ଟ ନୁହେଁ ଯେ ଲଘୁଚାପ ଘନୀଭୂତ ହୋଇ ନିଶ୍ଚିତ ଭାବରେ ବାତ୍ୟାର ରୂପ ନେବ ବୋଲି । ତେଣୁ ପୂର୍ବରୁ ଏହା ମତ ଦିଆଯାଇଥିଲା ଯେ ଲଘୁଚାପ ହେବାର ଆଉ ୩ – ୪ ଦିନ ମଧ୍ୟରେ ବାତ୍ୟାର ରୂପ ରେଖ ସ୍ପଷ୍ଟ ହେବା ସହିତ ଲ୍ୟାଣ୍ଡଫଲର ସମୟ ଏବଂ ସ୍ଥାନ ମଧ୍ୟ ନିର୍ଦ୍ଧାରିତ ହେବ । ଯାହାକିପାଣିପାଗ ବିଜ୍ଞାନୀ ଶରତ ଚନ୍ଦ୍ର ସାହୁ କହିଛନ୍ତି ।

ଏପଟେ ଆଇଏମଡି ବୈଜ୍ଞାନିକ ଆର.କେ ଜେନାମଣି କହିଛନ୍ତି ଯେ ବାତ୍ୟା ପାଇଁ ଅନୁକୂଳ ବାତାବରଣ ରହୁଥିବାରୁ ଭିନ୍ନ ଭିନ୍ନ ମଡେଲ ଅନୁସାରେ ବାତ୍ୟା ସମ୍ଭାବନା ରହୁଛି । ତେଣୁ ତାଙ୍କ ପୂର୍ବାନୁମାନ ଅନୁସାରେ ଆସନ୍ତା ୯ ଏବଂ ୧୦ ତାରିଖରେ ବାତ୍ୟା ଆସାନି ଓଡ଼ିଶା ଉପକୂଳ ଛୁଇଁବା ନେଇ ସୂଚନା ଜାରି କରିଛନ୍ତି । ଏକ ମଡେଲ ଇନ୍କୋ ଇସ ଅନୁଯାୟୀ ଆସନ୍ତା ମଇ ମାସ ୯ ତାରିଖ ସନ୍ଧ୍ୟାରେ ଆସାନି ଉତ୍ତର ବାଲେଶ୍ୱର ଉପକୂଳ ଛୁଇଁବାର ସମ୍ଭାବନାକୁ ଅଧିକ ପ୍ରକାଶ କରୁଛି । କିନ୍ତୁ ଅପର ପକ୍ଷରେ ଓ୍ବିଣ୍ଡି ମଡେଲ ଅନୁସାରେ ବାତ୍ୟା ୧୦ ତାରିଖରେ ପାରାଦ୍ୱୀପ ଏବଂ ଧାମରା ମଧ୍ୟରେ ଛୁଇଁବ ବୋଲି ପ୍ରକାଶ ପାଇଛି ।

ତେଣୁ ଏହି ଦୁଇ ମତ ଆଧାରରେ ଡ଼. ଶରତ ଚନ୍ଦ୍ର ସାହୁ କହିଛନ୍ତି ଯେ ବର୍ତ୍ତମାନ ପରିସ୍ଥିତି ଅନୁଯାୟୀ ଏହି ଅନୁମାନ ଦୁଇ ପ୍ରକାରର ଆସୁଛି । କିନ୍ତୁ ବାତ୍ୟାର ରୂପ ରେଖ ଜାଣିବା ପରେ ତାହା ଠିକ ଭାବରେ ସ୍ପଷ୍ଟ ହୋଇ ପାରିବ ବୋଲି କହିଛନ୍ତି । କିନ୍ତୁ ଏହା ସ୍ପଷ୍ଟ ଯେ ସମ୍ଭାବ୍ୟ ବାତ୍ୟା ଆସାନି ଓଡ଼ିଶା ଉପକୂଳ ଛୁଇଁବ । ଏନେଇ ଭୁବନେଶ୍ୱର ମହାନଗର ନିଗମ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ଚଳାଇଛି । ଏଥିପାଇଁ ଅନୁଷ୍ଠିତ ହୋଇଥିବା ପ୍ରାଥମିକ ପ୍ରସ୍ତୁତି ବୈଠକରେ ବିଏମସି ମେୟର ସୁଲୋଚନା ଦାଶ ଏବଂ ଅନ୍ୟାନ୍ୟ ଅଧିକାରୀ ମଧ୍ୟ ଯୋଗ ଦେଇଛନ୍ତି । ବୈଠକରେ ବାତ୍ୟାକାଳୀନ ଏବଂ ବାତ୍ୟାର ପରବର୍ତ୍ତୀ ସୁରକ୍ଷାକୁ ଆଧାର କରି ଆଲୋଚନା କରାଯାଇଥିବା ପ୍ରକାଶ ପାଇଛି ।

Leave a Reply

Your email address will not be published. Required fields are marked *