ଯୁଦ୍ଧ ମଝିରେ ୟୁକ୍ରେନ ସୀମାରେ ପହଞ୍ଚିଲେ ବିଡେନ, ବର୍ତ୍ତମାନ କ’ଣ ହେବ ଆମେରିକାର ପରବର୍ତ୍ତୀ ପଦକ୍ଷେପ?

ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଏହି ସମୟରେ ଆମେରିକାର ରାଷ୍ଟ୍ରପତି ଜୋ ବିଡେନ ୟୁକ୍ରେନ ସୀମାରେ ଥିବା ପୋଲାଣ୍ଡରେ ପହଞ୍ଚିଛନ୍ତି । ସେ ଏଠାରେ ସୀମାରେ ନିୟୋଜିତ ଆମେରିକୀୟ ସୈନିକମାନଙ୍କ ସହ ଆଲୋଚନା କରିବେ । ଏଥି ସହିତ ଋଷର ଆକ୍ରମଣରୁ ରକ୍ଷା ପାଇବା ପାଇଁ ପୋଲାଣ୍ଡକୁ ପଳାଇ ଆସିଥିବା ଲକ୍ଷ ଲକ୍ଷ ୟୁକ୍ରେନୀଙ୍କ ପ୍ରତିକ୍ରିୟା ମଧ୍ୟ ଜାଣିବେ । ଜୋ ବିଡେନଙ୍କ ଏହି ଗସ୍ତ ପରେ ଆମେରିକା ଖୁବ ଶୀଘ୍ର ଋଷ ବିରୋଧରେ କିଛି କଠିନ ପଦକ୍ଷେପ ନେଇପାରେ ବୋଲି କଳ୍ପନା କରାଯାଉଛି ।

ବିଡେନ ପୋଲାଣ୍ଡରେ ଆମେରିକୀୟ ସେନାର 82 ତମ ଏୟାରବର୍ନ ଡିଭିଜନର ସଦସ୍ୟମାନଙ୍କ ସହିତ ସାକ୍ଷାତ କରିବେ, ଯେଉଁମାନେ ପୋଲାଣ୍ଡ ସୈନ୍ୟମାନଙ୍କ ସହିତ ସେବା କରୁଛନ୍ତି । ସେ ଦକ୍ଷିଣ ପୂର୍ବ ପୋଲାଣ୍ଡର ସବୁଠାରୁ ବଡ ସହର ରିଜଜୋର ବିମାନବନ୍ଦରରେ ପହଞ୍ଚିଥିଲେ ଯାହା ୟୁକ୍ରେନ ସୀମାଠାରୁ ଏକ ଘଣ୍ଟା ଦୂରରେ ଅବସ୍ଥିତ । ସେ ୱାରସରେ ପୋଲାଣ୍ଡର ରାଷ୍ଟ୍ରପତି ଆଣ୍ଡ୍ରେଜେଜ ଡୁଡା ଏବଂ ଅନ୍ୟମାନଙ୍କ ସହ ମଧ୍ୟ ଆଲୋଚନା କରିବେ ।

ପୋଲିଶ୍ ନେତାଙ୍କୁ ବିମାନବନ୍ଦରରେ ବିଡେନଙ୍କୁ ସ୍ୱାଗତ କରିବାର ଥିଲେ ମଧ୍ୟ କୌଣସି ବୈଷୟିକ ସମସ୍ୟା ହେତୁ ତାଙ୍କ ବିମାନ ବିଳମ୍ବ ହୋଇଥିଲା । ହ୍ୱାଇଟ ହାଉସର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଜ୍ୟାକ ସଲିଭାନ କହିଛନ୍ତି ଯେ ବିଡେନ ଆମେରିକାର ସୈନ୍ୟ ତଥା ମାନବିକ ବିଶେଷଜ୍ଞଙ୍କଠାରୁ ପରିସ୍ଥିତି ବିଷୟରେ ଶୁଣିବେ ଏବଂ କେଉଁ ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ ତାହା ସ୍ଥିର କରିବେ ।

ଏଥି ସହିତ, ବିଡେନ ଏହି ସଙ୍କଟ ସମୟରେ ଉତ୍ତର ଆଟଲାଣ୍ଟିକ୍ ଚୁକ୍ତି ସଂଗଠନ (ନାଟୋ) ର ଜଣେ ପ୍ରମୁଖ ସଦସ୍ୟଙ୍କୁ ସାହାଯ୍ୟ ପାଇଁ ଆମେରିକାର ପ୍ରତିବଦ୍ଧତାକୁ ଦୋହରାଇବେ । ବ୍ରୁସେଲସରେ ନାଟୋ, ସାତଟି ଔଦ୍ୟୋଗିକ ଦେଶ ସମୂହ ଏବଂ 27 ସଦସ୍ୟ ବିଶିଷ୍ଟ ୟୁରୋପୀୟ କାଉନସିଲର ଏକ ଜରୁରୀକାଳୀନ ବୈଠକରେ ଯୋଗଦେବା ପରେ ବିଡେନ୍ ଦୁଇ ଦିନିଆ ଗସ୍ତରେ ପୋଲାଣ୍ଡ ଆସିଛନ୍ତି ।

ଆପଣଙ୍କୁ କହିରଖୁଛୁ ଯେ ଆମେରିକା କଂଗ୍ରେସ ଏହି ମାସରେ ୟୁକ୍ରେନ ପାଇଁ ମାନବିକ ତଥା ସୈନ୍ୟ ସହାୟତା ପାଇଁ 13 ବିଲିୟନ ଆମେରିକୀୟ ଡଲାରରୁ ଅଧିକ ଖର୍ଚ୍ଚ କରିବାକୁ ଅନୁମୋଦନ କରିଛି । ବିଡେନ ପ୍ରଶାସନ ଏହି ସହାୟତା ରାଶି ପଠାଇବା ମଧ୍ଯ ଆରମ୍ଭ କରିଛି ।

ଆପଣଙ୍କୁ କହି ରଖୁଛୁ ଯେ ଋଷର ୟୁକ୍ରେନ ଆକ୍ରମଣ ପରଠାରୁ 35 ଲକ୍ଷରୁ ଅଧିକ ଲୋକ ଦେଶ ଛାଡିଛନ୍ତି, ଯେଉଁଥିରୁ 20 ଲକ୍ଷରୁ ଅଧିକ ଲୋକ ପୋଲାଣ୍ଡରେ ଆଶ୍ରୟ ନେଇଛନ୍ତି । ପୋଲାଣ୍ଡରେ ହଜାର ହଜାର ଆମେରିକୀୟ ସୈନିକ ନିୟୋଜିତ ହୋଇଛନ୍ତି । 2014 ମସିହାରେ ଋଷର ପ୍ରଥମଥର ୟୁକ୍ରେନରେ ପ୍ରବେଶ କରିବାକୁ ଚେଷ୍ଟା କରିବା ପରେ ଆମେରିକୀୟ ସୈନ୍ୟଙ୍କୁ ପୋଲାଣ୍ଡରେ ମୁତୟନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *